STORYMIRROR

Mamatamanjari Das

Others

4  

Mamatamanjari Das

Others

ଲୁଚକାଳି ଖେଳ

ଲୁଚକାଳି ଖେଳ

2 mins
2

ମୁଁ ,,
ଆଉ ମୋ ଭିତରେ
ପ୍ରତିଦିନ
ଗୋଟିଏ ଲୁଚକାଳି ଖେଳ ଚାଲେ
ସକାଳ ହେଲେ
ମୁଁ ଖୋଜେ
ଗତକାଲିର ମୋତେ
ଆଉ
ଗତକାଲିର ମୁଁ
ଲୁଚିଯାଏ
ଆଜିର ଆଇନା ଭିତରେ।

କେତେ ସ୍ୱପ୍ନ
ଥିଲା ମୋ ପକେଟ୍‌ରେ,
କିଛି ଚାକିରିର ଭିଡ଼ରେ ହଜିଗଲା,
କିଛି ସଂସାରର ଦାୟିତ୍ୱ ତଳେ ଚପିଗଲା,
ଆଉ କିଛି ,
“ପରେ କରିବି” କହି କହି
ବୟସର ଆଲମାରିରେ
ଧୂଳି ଖାଇଲା।

ତଥାପି
ରାତି ହେଲେ
ସେମାନେ ଚୁପ୍‌ଚାପ୍‌ ବାହାରକୁ ଆସନ୍ତି
ଝରକା ଦେଇ
ଚନ୍ଦ୍ର ଆଲୋକ ପଡ଼ିଲେ
ଗୋଟିଏ ପୁରୁଣା ସ୍ୱପ୍ନ
ଧୀରେ ପଚାରେ,
“ମୋତେ ମନେ ଅଛି?”

ମୁଁ ଆଖି ବନ୍ଦ କରି
କହେ,
“ନା…”
କିନ୍ତୁ ହୃଦୟ
ସଙ୍ଗେ ସଙ୍ଗେ ଧରାପଡ଼ିଯାଏ।

କିଛି ଲୋକ
ଜୀବନରୁ ଚାଲିଗଲେ,
କିନ୍ତୁ ସ୍ମୃତିରୁ
କେବେ ଯାଇପାରିଲେ ନାହିଁ,
ସେମାନଙ୍କ ନାଁ
ଫୋନ୍‌ରୁ ଡିଲିଟ୍‌ କରିଦେଲି,
ଫଟୋଗୁଡ଼ିକୁ
ଗୋଟିଏ ଫୋଲ୍ଡର୍‌ରେ ବନ୍ଦ କରିଦେଲି,
କଥାଗୁଡ଼ିକୁ
ସମୟର ଧୂଳି ତଳେ ପୋତିଦେଲି…

ତଥାପି
କେଉଁ ଅଜଣା ସନ୍ଧ୍ୟାରେ
ହଠାତ୍‌ ଗୋଟିଏ ପବନ
ସେମାନଙ୍କ ଗନ୍ଧ ନେଇ ଆସେ,
ମୁଁ ପୁଣି
ସେହି ପୁରୁଣା ଗଳିରେ
ଠିଆ ହୋଇଯାଏ।

ସମୟ ମୋତେ ଖୋଜେ,
ମୁଁ ସମୟଠାରୁ ଲୁଚେ,
ସେ କହେ,
“ଚାଲ, ବହୁତ ହେଲା,
ଏବେ ଆଗକୁ ଚାଲ
କେତେ ଆଉ ଲୁଚକାଳି ଖେଳିବୁ?”

ମୁଁ କହେ,
“ଆଉ ଟିକିଏ…
ଏଇ ସ୍ମୃତିଟା ସରିଯାଉ,”
ସମୟ ହସେ
କାରଣ ସେ ଜାଣେ,
ମଣିଷ କେବେ
ସ୍ମୃତିରୁ ବାହାରିପାରେନି,
କେବଳ
ସ୍ମୃତି ସହିତ ବଞ୍ଚିବା
ଶିଖିଯାଏ।

ଆଉ ମୁଁ?
ମୁଁ ଆଜି ବି
ନିଜଠାରୁ ଲୁଚୁଛି,
ଲୋକଙ୍କ ସାମ୍ନାରେ
ହସୁଛି,
କଥା କହୁଛି,
ସବୁ ଠିକ୍‌ ଅଛି ବୋଲି
ଅଭିନୟ କରୁଛି।

କିନ୍ତୁ ରାତିର ନିରବତାରେ
ମୋ ଭିତରର ଗୋଟିଏ ପିଲା
ମୋତେ ଖୋଜି ବୁଲୁଛି,
ସେ ପିଲାଟି
ଏବେ ବି ଚାହେଁ
ବର୍ଷାରେ ଭିଜିବାକୁ,
ନଦୀ କୂଳରେ ବସିବାକୁ,
କାହାକୁ ମନଭରି ଭଲପାଇବାକୁ,
କାହାର ହାତ ଧରି
ନିର୍ଭୟରେ କହିବାକୁ,
“ମୋତେ ଛାଡ଼ି ଯିବନି।”

ମୁଁ ତା’ଠାରୁ ଲୁଚିଯାଏ,
ସେ ମୋଠାରୁ ଲୁଚିଯାଏ,
ଏମିତି ଚାଲିଥାଏ
ଜୀବନର ଲୁଚକାଳି ଖେଳ।

କେବେ ମୁଁ ଜିତେ,
କେବେ ସେ,
ହେଲେ ଖେଳ ଶେଷ ହୁଏନି
ଶେଷରେ
ଗୋଟିଏ ଦିନ
ଆଇନା ସାମ୍ନାରେ ଠିଆ ହୋଇ
ମୁଁ ନିଜକୁ ପଚାରିବି,
“କେତେଦିନ ଆଉ
ନିଜଠାରୁ ଲୁଚିବୁ?”

ସେଦିନ ବୋଧହୁଏ
ମୁଁ ହସିବି,
ନିଜ ହାତକୁ
ନିଜେ ଧରିବି,

ଆଉ କହିବି,
“ଆସ…
ଆଜି ଆଉ ଲୁଚିବା ନାହିଁ,
ଆଜି ନିଜକୁ
ନିଜେ ଖୋଜିବା।”

ହୁଏତ ସେଇଦିନ
ଲୁଚକାଳି ଖେଳ ଶେଷ ହେବନି,
କିନ୍ତୁ
ଖୋଜିବାର ଅର୍ଥଟା
ବଦଳିଯିବ ନିଶ୍ଚୟଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍