ଝଡର ବିଭୀଷିକା
ଝଡର ବିଭୀଷିକା
ଝଡ଼ର ବିଭୀଷିକା
ସେଦିନ ହଠାତ୍
ଆକାଶର ଛାତି ଚିରି
କାଳବୈଶାଖୀ ଆସିଥିଲା,
ପବନର ପ୍ରତିଟି ଶ୍ୱାସରେ
ଥିଲା ତାଣ୍ଡବର ଭାଷା,
ଆଉ ମୋ ଜୀବନର ଅଗଣାରେ
ଭାଙ୍ଗି ପଡ଼ୁଥିଲା
ଗୋଟିଏ ଗୋଟିଏ ସ୍ୱପ୍ନର ଘର।
ମାଟି ତ ମାଟି ହୋଇ ରହିଲା,
ହେଲେ ମୋ ପାଦ ତଳର
ଭରସାର ମାଟିଟା
କେଉଁଠି ହଜିଗଲା,
ମୁଁ ଜାଣିପାରିଲିନି।
ତାସପତା ପରି
ଭୁଶୁଡ଼ି ପଡ଼ିଲା
ମୋ ହୃଦୟର ଆଶା,
ଆକାଂକ୍ଷା ଓ ସ୍ୱପ୍ନ,
ଆଉ ସେମାନଙ୍କ ତଳେ
ଚାପି ହୋଇଗଲା
ତୋ ସହ ବଞ୍ଚିବାର
ମୋର ଛୋଟିଆ ଇଚ୍ଛାଟିଏ।
ଝଡ଼ ଚାଲିଗଲା…
ହେଲେ ମୋ ଭିତରେ
ଛାଡ଼ିଗଲା ଏମିତି ଏକ ଶୂନ୍ୟତା,
ଯାହାକୁ ପବନ ଉଡ଼ାଇ ପାରିଲାନି,
ବର୍ଷା ଧୋଇ ପାରିଲାନି,
ସମୟ ବି ଭରି ପାରିଲାନି
ଏଯାଏଁ ସେ ଶୂନ୍ୟସ୍ଥାନ।
ତୋତେ ଛଡ଼ାଇ ନେଲା
ମୋ ହାତରୁ ଜୀବନ ଯାକର
ସାଇତା ସମ୍ପତ୍ତି,
ଆଉ ମୋତେ ଦେଇଗଲା
କିଛି ଭଙ୍ଗା ଫଟୋ,
କିଛି ଅଧାଲେଖା କଥା
ଆଉ ତୋ ନାଁରେ
ଧକ୍ଧକ୍ କରୁଥିବା
ଗୋଟିଏ ଅବୁଝ ହୃଦୟ।
ଏବେ ବି
ସନ୍ଧ୍ୟା ନଇଁଲେ
ମୁଁ ଦୁଆର ଆଡ଼କୁ ଚାହେଁ,
କେଜାଣି,
କେଉଁ ଅଜଣା ପବନ ସାଙ୍ଗରେ
ତୁ ଫେରିଆସିବୁ କି !!
ତୁ ତ ବାସ୍ତବଠାରୁ
ଅନେକ ଦୂରେ,
ହେଲେ ମୋ ଭାବନାର ହାଟରେ
ଆଜି ବି ତୋର ଦୋକାନ ଖୋଲା।
ମୁଁ ପ୍ରତିଦିନ
ଥକିଯାଇଥିବା ପାଦରେ
ସେଠି ତୋତେ ଖୋଜେ,
କିଛି କିଣିବା ପାଇଁ ନୁହେଁ,
କେବଳ ତୋତେ
ଥରେ ଦେଖିବା ପାଇଁ।
ବାସ୍ତବରେ ନ ହେଲା ନାହିଁ,
ସପନରେ ତୋତେ ଭେଟୁଛି,
ନିଦ ଭାଙ୍ଗିଗଲେ
ଆଖି ଖୋଲି ଦେଖେ,
ପାଖରେ କେହି ନାହିଁ,
କିନ୍ତୁ ତକିଆରେ
ତୋ ସ୍ମୃତିର ଉଷ୍ମତା
ଏବେ ବି ରହିଯାଇଛି।
କେବେ କେବେ
ସାଧା କାଗଜର ଛାତିରେ
ମନର ମୁକୁତା ଗୋଟେଇ ଗୋଟେଇ
ତୋ ମୁହଁ ଆଙ୍କୁଛି,
ପୁଣି ଇନ୍ଦ୍ରଧନୁର ସାତରଙ୍ଗରେ
ତୋ ପାଇଁ କବିତା ଲେଖୁଛି।
କଲମର ଶେଷ ଧାଡ଼ିରେ
ପହଞ୍ଚିଲେ ହାତ ଅଟକିଯାଏ,
କାରଣ ତୋ କାହାଣୀର
କୌଣସି ଶେଷ ନାହିଁ,
ତୁ ମୋ ଜୀବନରେ
ଅଧା ରହିଯାଇଥିବା
ଗୋଟିଏ ସୁନ୍ଦର କବିତା।
ତୁ ଦିନେ କହିଥିଲୁ,
“ପଡ଼ିଗଲେ ଭୟ କରିବୁନି,
ଉଠି ଚାଲିବା ଶିଖିବୁ,
କାରଣ ପଡ଼ିଯିବା ନୁହେଁ,
ପଡ଼ିବା ପରେ ଉଠିବା ହିଁ
ପ୍ରକୃତ ଜୀବନ।”
ସେଇ କଥାଟିକୁ
ଆଜି ମୁଁ ଜପାମାଳି କରିଛି
ପ୍ରତିଟି ଦୁଃଖରେ
ଗୋଟିଏ ମଣି ପରି ଗଣୁଛି,
ପ୍ରତିଟି ଲୁହରେ
ତୋ କଥାକୁ ମନେ ପକାଉଛି।
ଝଡ଼ ମୋତେ ଭାଙ୍ଗିଦେଇଛି,
ହଁ…
କିନ୍ତୁ ସମ୍ପୂର୍ଣ୍ଣ ଭାଙ୍ଗି ପାରିନାହିଁ,
କାରଣ
ମୋ ଭିତରେ ଆଜି ବି
ତୋ ସ୍ମୃତିର ଗୋଟିଏ ଛୋଟ ଦୀପ ଜଳୁଛି,
ଆଉ ସେହି ଦୀପର ଆଲୋକରେ
ମୁଁ ଧୀରେ ଧୀରେ
ଭଙ୍ଗା ଜୀବନର ଅଳିଆ ସାଉଁଟୁଛି।
କେବେ ନା କେବେ
ଏହି ଭଙ୍ଗା ମାଟିରୁ
ପୁଣି ଗୋଟିଏ ଘର ତିଆରି ହେବ,
ପୁଣି ଅଗଣାରେ ଫୁଟିବ ଫୁଲ,
ପୁଣି ଆକାଶରେ ଉଡ଼ିବ ସ୍ୱପ୍ନ।
ତୁ ନଥିବୁ…
ତଥାପି ତୋ ସ୍ମୃତି ରହିବ
ଆଉ ମୁଁ,
ଝଡ଼ର ବିଭୀଷିକା ପାର ହୋଇ,
ତୋ କଥାକୁ ହୃଦୟରେ ଧରି,
ପୁଣି ଥରେ
ଜୀବନ ଚାଲିବା ଶିଖିବି ।
