ପ୍ରକୃତିର ରଙ୍ଗ
ପ୍ରକୃତିର ରଙ୍ଗ
ବିବିଧ ବର୍ଣ୍ଣା ଏ ଧରଣୀ,
ଋତୁ ଅନୁସାରେ ରଙ୍ଗ ବଦଳାଏ,
ବସନ୍ତର ଆଗମନରେ
ହସିଉଠେ ଧରଣୀ ନବଯୌବନା ହୋଇ।
ପଳାଶର ଲାଲିମାରେ
ଆକାଶକୁ ଛୁଏ ତା'ର ମନ,
ଶିମିଳି ଫୁଲର ରଙ୍ଗରେ
ରଙ୍ଗେଇ ହୁଏ ବନର ପ୍ରତିଟି କୋଣ।
ଗ୍ରୀଷ୍ମର ତତଲା ଦ୍ୱିପ୍ରହରରେ
ଝାଉଁଳି ପଡ଼େ ସବୁଜିମା,
ତଥାପି ଆମ୍ବ ବଉଳର ବାସ୍ନାରେ
ମହକିଉଠେ ଗାଁର ସୀମା
ମନରେ ସୃଷ୍ଟି ହୁଏ ଭାବନା।
ବର୍ଷାର ପହିଲି ଛୁଆଁରେ
ମାଟି ମୁହଁରେ ଫୁଟେ ହସ,
ସବୁଜ ଚାଦର ଘୋଡ଼ି ହୋଇ
ପାହାଡ଼ ପିନ୍ଧେ ନୂଆ ବସ୍ତ୍ର
ଚାଷୀ ଚାଷକୁ ଯାଏ ଗୀତ ଗାଇ ,
କାଳିଆ କଷରା ତାର ଅସ୍ତ୍ର।
ନଈର ଛାତିରେ ଢେଉ ଖେଳେ,
ମେଘର ଆଖିରେ ସ୍ୱପ୍ନ ଭାସେ,
ବେଙ୍ଗର ରଡ଼ି, ମୟୂରର ନୃତ୍ୟ
ପ୍ରକୃତିର ଉତ୍ସବ ରଚେ।
ଶରତ ଆସେ ଶୁଭ୍ର ଶାଢ଼ି ପିନ୍ଧି,
କାଶତଣ୍ଡୀ ହସେ ନଈପଠାରେ,
ନୀଳ ଆକାଶର ବୁକୁରେ ଭାସେ
ତୁଳା ପରି ଧଳା ମେଘର ଧାରେ
ସୌନ୍ଦର୍ଯ୍ୟରେ ସଭିଙ୍କ ମନ ହରେ।
ହେମନ୍ତର ଶିଶିର ବିନ୍ଦୁରେ
ଘାସ ଫୁଲ ମୋତି ହୋଇ ଝଲସେ,
ପାଚିଲା ଧାନର ସୁନେଲି ହସ
ଚାଷୀ ମୁହଁରେ ଖୁସି ପରଶେ
କାଶତଣ୍ଡୀ ସମ୍ଭାରେ ନଦୀ ପଠା ହସେ।
ଶୀତର କାକର ଭିଜା ସକାଳେ
କୁହୁଡ଼ି ଓଢ଼ଣୀ ଢାଙ୍କେ ଧରା,
ଗେଣ୍ଡୁ ଫୁଲର ହଳଦିଆ ହସରେ
ସଜେଇ ହୁଏ ଗାଁର ଚଉରା
ଉଷ୍ଣତାରେ ଭିଜି ଯାଏ ମନ,
ଭାବ ଆସେ ନିଆରା।
ଋତୁ ବଦଳେ, ରଙ୍ଗ ବଦଳେ,
ବଦଳେନି ପ୍ରକୃତିର ମାୟା,
କେବେ ହସାଏ, କେବେ କନ୍ଦାଏ
କେତେ ରୂପରେ ଦିଏ ଛାୟା।
ତା'ର ନୀରବତାରେ ଅଛି ସଙ୍ଗୀତ,
ତା'ର ପ୍ରତିଟି ରଙ୍ଗରେ କବିତା,
ମଣିଷ ଯଦି ବୁଝିପାରନ୍ତା
କେତେ ଅମୂଲ୍ୟ ଏଇ ପ୍ରକୃତିର ମମତା!
ପ୍ରକୃତି କେବଳ ଦୃଶ୍ୟ ନୁହେଁ,
ସେ ତ ଜୀବନର ଏକ ଅଭିନ୍ନ ଅଂଶ,
ତା'ର ରଙ୍ଗକୁ ସୁରକ୍ଷିତ ରଖିଲେ
ହସୁଥିବ ଧରଣୀ, ହସୁଥିବ ମଣିଷ।
