ବେଙ୍ଗଟିଏ ମୁଁ
ବେଙ୍ଗଟିଏ ମୁଁ
ଖାଏ ପୋକଜୋକ ଚାଷୀର ବନ୍ଧୁ ମୁଁ
ରଖେ ସଫା ତା' କ୍ଷେତକୁ
କ୍ଷତିକାରୀ କୀଟ ନ ପାରନ୍ତି ବଢ଼ି
ଭୋଜନ କରେ ତାହାଙ୍କୁ।
ଖାଦ୍ୟ ଶୃଙ୍ଖଳର ଅଟେ ଏକ ଅଂଶ
ଖାଏ ବି ଛୋଟ ଝିଣ୍ଟିକା
ଶସ୍ୟ କ୍ଷେତ ଜଗୁଆଳି କାମ କରେ
ମନରେ ନ ଥାଏ ଶଙ୍କା ।
ପାଣି ପାଗ, ପରିବେଶ, ପରିସ୍ଥିତି
ବଦଳିଲେ ଜାଣେ ମୁହିଁ
ହୋଇଲେ ବିଷାକ୍ତ ଜଳାଶୟ ଜଳ
ମୋ ଚର୍ମ ନଷ୍ଟ ହୁଅଇ ।
ବେଙ୍ଗୁଲି ଅଣ୍ଡାରେ ସଞ୍ଚିତ ପୀତକ
ନୁହଁଇ ପରା ଯଥେଷ୍ଟ
ସୃଷ୍ଟି ହୁଏ ସେଥିପାଇଁ ବେଙ୍ଗ ଫୁଲା
ଏ କଥା ଅଟଇ ସ୍ପଷ୍ଟ।
ଜଳଚର ଜୀବ ଆହାର ଅଟେ ସେ
ପିଲାଏ ଦେଖିଲେ ଖୁସି
ଧରି ବେଙ୍ଗ ଫୁଲା ପାଣି ଆଞ୍ଜୁଳାରେ
ଦଳ ଦଳ ହୋଇ ବସି ।
ଗାଲିଦ୍ଵାରା ଶ୍ବାସକ୍ରିୟା କରେ ସେହି
ସବୁ ଜାତି ମାଛ ପରି
ହୋଇଲେ ପୂର୍ଣ୍ଣାଙ୍ଗ ଖାଇ ପୋକକୋକ
ଜଳରୁ ଆସେ ବାହାରି।
ଚର୍ମରେ ନ ଥାଏ କାତି ବୋଲି ମୋର
ଶ୍ବାସକ୍ରିୟା ପାରେ କରି
ଫୁସଫୁସ୍ ବି ତ ଶ୍ବାସ ପ୍ରଶ୍ବାସରେ
ଅଟଇ ସାହାଯ୍ୟକାରୀ ।
ଗ୍ରୀଷ୍ମ କାଳେ ମାଟି ଭିତରେ ରହି ମୁଁ
କରିଥାଏ ଗ୍ରୀଷ୍ମସୁପ୍ତି
ଶୀତ ଋତୁ ଥଣ୍ଡା ସହି ନ ପାରିଲେ
କରଇ ବି ଶୀତ ସୁପ୍ତି ।
ହୋଇଲେ ବରଷା ସାରୁ ଗଛ ପତ୍ର
ତଳେ ବସି ଆନନ୍ଦରେ
ରଡ଼ି କରି ସାଙ୍ଗ ସାଥିଙ୍କୁ ଡାକଇ
ରହି ରହି ସରାଗରେ ।
ପୋଥି ପୁରାଣରେ ଅଛି କିମ୍ବଦନ୍ତୀ
ମୋର ଜୀବନୀକୁ ନେଇ
ଏ ପୃଥିବୀ କ୍ଷଣ କ୍ଷଣକ ରେ ଆନ
ବାରତା ଥାଏ ମୁଁ ଦେଇ ।
ଜଳରେ ସ୍ଥଳରେ ବଞ୍ଚିପାରେ ବୋଲି
ଉଭୟଚର ପ୍ରାଣୀ ତ
କେତେ ଜାତି ମୋର ମଣିଷର ଖାଦ୍ୟ
କରେ ଜଗତର ହିତ ।
