ଓଡ଼ିଆ ବର୍ଣ୍ଣମାଳା
ଓଡ଼ିଆ ବର୍ଣ୍ଣମାଳା


କହୁଛି ଆଜି ମୁଁ ଓଡ଼ିଆର ବର୍ଣ୍ଣମାଳା,
ବୁଝିବ ଆସ ମତେ ଶିକ୍ଷିବ ମୋ ଶବ୍ଦକଳା,
ଅଠଚାଳିଶ ଗୋଟି ଅକ୍ଷରକୁ ନେଇ ମୋ ସମାହାର,
' ଅ 'ରୁ ପ୍ରାରମ୍ଭ ପୁଣି 'ଲ' ରେ ଅନ୍ତ ମୋର।
ସ୍ଵରବର୍ଣ୍ଣ ବୋଲାଏ 'ଅ' ରୁ 'ଔ' ବାରଟି ଅକ୍ଷର,
'କ' ରୁ 'ଲ' ମୁଦ୍ରା ଛତିଶ ଟି ରୂପ ବ୍ୟଞ୍ଜନ ବର୍ଣ୍ଣର,
ବ୍ୟଞ୍ଜନ ବର୍ଣ୍ଣ ବ୍ୟବହାର ନିଏ ମାତ୍ରା ଆଉ ଫଳା ଏକୋଇଶି ପ୍ରକାରର,
ପ୍ରତ୍ୟେକଟି ମାତ୍ରାର ସଂଯୋଗରେ ବଦଳିଯାଏ ତାତ୍ପର୍ଯ୍ୟ ଓ ଉଚ୍ଚାରଣ ମୋହର।
ବ୍ୟଞ୍ଜନ ବର୍ଣ୍ଣ ସମ୍ମୁଖରେ ଗାରଟିଏ ଯୋଡ଼ି ଦେଲେ,
ହୁଅଇ ' ଆ ' କାର,
ସିଧା ଗାରଟି ଟିକିଏ ମୋଡି ହେଇ,
ମୁଦ୍ରଣ ଉପରେ ଟୋପିଟିଏ ହେଇଗଲେ,
ବୋଲାଏ ପୁଣି ' ଇ ' କାର ।
ବାଙ୍କୁଲୀ ବାଡ଼ି ଟେ ଅକ୍ଷର ଶେଷରେ ଲାଗିଗଲେ,
ହୁଅଇ 'ଈ' କାର ,
ଓଡ଼ିଆ ସଂଖ୍ୟା '୪' ଚରଣ ଛୁଇଁଲେ ,
ବୋଲାଏ ପୁଣି ' ଉ ' କାର।
ଚାମଚ ସଦୃଶ ମାତ୍ରା ଟିଏ ତଳେ ପଡିଗଲେ,
ହୁଏ ସେ ' ଊ ' କାର,
ଇଂରାଜୀ ସଂଖ୍ୟା ଛଅ ( 6 ) କୁ ଆଉ ଟିକେ ବଢ଼େଇ,
ଦୁଇ ଘେରା ବୁଲାଇଲେ ହୁଅଇ ପୁଣି ' ଋ ' କାର ।
ସେଇ ଛଅ (6) ସଂଖ୍ୟାଟିକୁ ଅକ୍ଷର ପୂର୍ବରୁ,
ସିଧା ସିଧା ଠିଆ କଲେ ହୁଏ ' ଏ ' କାର,
'ଏ' କାର ସହ ଅକ୍ଷର ଶେଷରେ 'ଆ' କାର ଦେଲେ,
ହେଇଥାଏ ସେ ତ ' ଓ ' କାର ।
ମୁଦ୍ରଣ ଉପରେ 'ଏ' କାର ସାଥିରେ ହାବିଲଦାର ଟୋପିଟେ ବସିଲେ,
କହୁ ତାକୁ ' ଐ ' କାର,
' ଐ ' କାର ସାଥେ ' ଆ ' କାର ମିଶିଲେ,
ହୁଏ ' ଔ ' କାର ।
ବିନ୍ଦୁରୁ ଟିକିଏ ବଡ଼ ଶୂନରୁ ଟିକିଏ ସାନ ,
ଟୋପାଟେ ଲ
ାଗିଲେ ଲିପି ଟିଏ ଉପରେ,
ବୋଲାଏ ଅନୁସାର ' ଂ ' ,
ଦୁଇ ଗୋଟି ଅନୁସାର ତଳକୁ ତଳ ଛନ୍ଦି ହେଲେ,
ରୂପ ନିଏ ବିସଃର୍ଗ ( ଃ )ର ।
ଆକାଶେ ଯେଭଳି ଜହ୍ନ ତାରା ଖେଳନ୍ତି,
ଭୂଇଁ ରୁ ସ୍ୱଚ୍ଛ କାଚ କେନ୍ଦୁ,
ଅଧା ଜହ୍ନ ପେଟରେ ବିନ୍ଦୁ ଟିଏ ଦେଲେ,
ନାମଟି ତାହାର ବାହାରେ ଚନ୍ଦ୍ର ବିନ୍ଦୁ ( ଁଁ ) ।
ଇଂରାଜୀ ଅକ୍ଷର 'L' ଟି ଓଲଟା ମୁହଁ କରି,
ଲମ୍ବି ଯାଇ ପାଦେ ଶୋଇଗଲେ ପଢାଯାଏ ' ର ' ଫଳା ,
ସେହି ' ର ' ଫଳାକୁ ଅକ୍ଷର ଉପରେ ,
ଡ଼ାହାଣ କଣରେ ତେରେଛା ଠିଆ କଲେ,
ରେଫ୍ ଦେଖାଏ ତା କଳା ।
'ଳ' ଅକ୍ଷରର ତଳ ଅଧା ଅଂଶ ଲାଗିଲେ ଅକ୍ଷର ତଳେ,
କହୁ ତାକୁ ' ଳ ' ଫଳା ,
'ଳ' ଫଳ ଭଳି 'ଲ' ଅକ୍ଷରର ନିମ୍ନ ଅର୍ଦ୍ଧାଂଶ,
ଯେ କୌଣସି ବ୍ୟଞ୍ଜନ ବର୍ଣ୍ଣ ତଳେ ଲାଗିଲେ,
ହୁଅଇ ସେ 'ଲ' ଫଳା ।
ଇଂରାଜୀ ସଂଖ୍ୟା 'ଚାରି' ,
ଅକ୍ଷର ସଙ୍ଗେ ସମ ଠିଆ ହେଲେ,
ହୁଏ ସେ ' ୟ ' ଫଳା,
ସେହି ଚାରି ପୁଣି ପାଦରେ ପଡ଼ିଲେ ,
କହୁ ତାକୁ ' ୱ ' ଫଳା ।
' ନ ' ଅକ୍ଷର ରୁ ଟୋପିଟି କାଢି ,
ଅକ୍ଷର ତଳେ ଅଧା ଲେଖିଦେଲେ,
କୁହାଯାଏ ତାକୁ ' ନ ' ଫଳା,
ଓଡ଼ିଆ ସଂଖ୍ୟା ଚାରି (୪) ର ,
ଡ଼ାହାଣ ପଟ ଶେଷରୁ ତଳକୁ ଛୋଟ ସିଧା ଗାରଟେ ଟାଣିଲେ,
ହୋଇଯାଏ ' ମ ' ଫଳା ।
କେବେ ସମ୍ପୂର୍ଣ୍ଣ ତ କେବେ ଅଂଶେ ଅଧ ଫାଳେ,
ଅକ୍ଷର ଗୁଡ଼ିକ ଯୋଡ଼ ଯୋଡ଼ି ହୋଇ ,
ସଙ୍ଗେ ଛନ୍ଦି ହେଲେ,
ହସଖୁସିରେ ' ଯୁକ୍ତାକ୍ଷର ' ର ରୂପ ନେଇ,
ମୁଁ ବର୍ଣ୍ଣମାଳା ଶବ୍ଦର ଖେଳ ଖେଳେ ।