ହିରୋ
ହିରୋ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଲୋଡା ନାହିଁ ତାଙ୍କୁ ମୁକୁତା ମାଣିକ ମୁକୁଟ,
କରନ୍ତିନି ଇଚ୍ଛା ବହୁମୂଲ୍ୟ ଚିକିମିକି ପାଟ,
ସରଳତାରେ ପରିପୂର୍ଣ୍ଣ ତାଙ୍କ ଶାସନର ବାଟ,
ସାମାନ୍ୟ ରୂପାକୃତି ହେଲେ ଅସ୍ତିତ୍ବ ବିରାଟ।
ହୃଦୟଟି ଗୋଟିଏ ସ୍ନେହର ଗନ୍ତାଘର,
ସହିଷ୍ଣୁତା, ଶାଳୀନତା ଅନନ୍ୟ ଉତ୍ସ ଉତ୍ସାହର,
ସାଉଁଟି ଆଣେ ଦୁଃଖ କଷ୍ଟ ଯେତେ ଦୁନିଆର,
ଖେଳାଇବାକୁ ମୋ ମୁଖେ ଚେନାଏ ହସର ଧାର।
ପାରନ୍ତିନି ନିଜେ ଉଡ଼ି ଡେଣା ନେଇ ସତେ,
ପ୍ରେରଣା ଦିଅନ୍ତି ଉଡ଼ିବାକୁ ଅନବରତ ମତେ,
କାନ୍ଧରେ ବୋହି ଶିକ୍ଷା ଦିଅନ୍ତି ଚାଲିବାକୁ ସତ୍ ପଥେ,
ମୋ ପାଇଁ ଯାହା ଅସମ୍ଭବ ତାଙ୍କ ପାଇଁ ହାତ ପାହାନ୍ତେ।
ସୃଷ୍ଟିର ଅନନ୍ୟ ଉପହାର ସେ ଏଇ ତୁଚ୍ଛ ଜୀବନେ,
ସର୍ବକାଳୀନ ନର ଶ୍ରେଷ୍ଠ ଭାବେ ବିରାଜିତ ମନେ,
ଦେଖିବାକୁ ଚାହେଁ ନାହିଁ ଲୁହ ତାଙ୍କ ନୟନେ,
ଭରିଦବାକୁ ଚାହେଁ ଯେତେକ ସୁଖ ଶ୍ରୀ ଚରଣେ।
ପ୍ରକୃତ ହିରୋ ମୋହର ବାପା ମୋର ସିଏ,
ସଭିଏଁ ଜିରୋ ତାଙ୍କ ଆଗେ ସମତୁଲ୍ୟ ବା ହବ କିଏ,
ମୁହୁର୍ତ୍ତକେ ଏକତ୍ରିତ କରି ପାରନ୍ତି ସଂସାରର ସୁଖ ଯିଏ,
ତାଙ୍କ ଅମୂଲ ମୂଲ ହସର ତୃପ୍ତି କିଏ ବା ଦିଏ।