ଅନ୍ତରୀକ୍ଷ
ଅନ୍ତରୀକ୍ଷ
ଛୁଆବେଳେ ମା କୋଳେ ଝୁଲି ଗେଲ ହେଲାବେଳେ,
ସୁଦୂର ଗଗନେ ଦେଖୁଥିଲି ଜହ୍ନତାରା,
ମୁରୁକି ହସୁଥିଲେ , ଲୁଚକାଳି ଖେଳୁଥିଲେ,
ଆନନ୍ଦମଗ୍ନ ଥିଲେ ନିଜ ଦୁନିଆରେ ।
ସେତେବେଳେ ଭାବୁଥିଲି ଏଇ ପୃଥିବୀଟା ଖାଲି ବୋଧେ,
ମୋ ଜଗତ, ଜନ୍ମଭୂମି, ଚିର ସ୍ଥିର କର୍ମଭୂମି,
ସେ ଦୂର ରାଇଜ କେବଳ ସପନ ମାତ୍ର,
ଏ ଧରାରୁ ସେ ଦୁନିଆର ଯାତ୍ରା ଶେଷ ନିଃଶ୍ୱାସର ସେପାରେ।
କିନ୍ତୁ ବୟସର ପାହାଚ ଅତିକ୍ରମ କରି,
ବସ୍ତୁବାଦୀ ସଂସାରକୁ ବୁଝିଲା ବେଳେ,
ବିଜ୍ଞାନର ଦ୍ରୁତଗତି ବୁଝେଇ ଦେଲା,
ସମଗ୍ର ବ୍ରହ୍ମାଣ୍ଡର ପ୍ରକୃତ ପରିସୀମା ଓ ପରିଭାଷା।
ଧୀରେ ଧୀରେ ବୁଝିଗଲି ଦୁନିଆକୁ,
ଯେଉଁଠିଅଛି ପୃଥିବୀ, ସୂର୍ଯ୍ୟ, ନକ୍ଷତ୍ର, ତାରାମଣ୍ଡଳୀ,
ପୁଣି ପାଣି,ପବନ, ଜଳସ୍ଥଳ, ସର୍ବସ୍ବର ସମାହାର,
ସଭିଏଁ ମିଶି ଗଡୁଥିଲେ ଏକ ପରିବାର , ଅନ୍ତରୀକ୍ଷ।
ପିଲାବେଳେ ଯେଉଁ ଜହ୍ନତାରା ସାତସପନ ଥିଲେ,
ଆଜି ସେଠି ଘର ତୋଳିହେଉଛି, ଜମି କିଣିହେଉଛି,
ମପାଯାଇ ପାରୁଛି ସୂର୍ଯ୍ୟ ତାରା ଭିତରେ ଦୂରତ୍ବ,
ଉପାୟ ପାଇଛି ମନୁଷ୍ୟ ପରି ରାଇଜେ ଭ୍ରମଣର ।
ସୋଭିଏତ୍ ବୈଜ୍ଞାନିକ ୟୁରି ଗାଗାରିନ,
ସର୍ବପ୍ରଥମେ ଅନ୍ତରୀକ୍ଷରେ ପାଦରଖି,
ଦେଖାଇଥିଲେ ବାଟ ଦୂରଦେଶେ ପହଞ୍ଚିବାର,
ତା'ପରେ କେତେ ଯେ ରକେଟ୍ ସୁଯୋଗ ପାଇଛି ,
ସେଠାରୁ ମୁଠାଏ ମାଟି ଧରିବାର ।