STORYMIRROR

Gautam Das

Abstract Inspirational Children

4  

Gautam Das

Abstract Inspirational Children

ମିତ୍ରତାର ନୂଆ ଦୃଷ୍ଟାନ୍ତ

ମିତ୍ରତାର ନୂଆ ଦୃଷ୍ଟାନ୍ତ

3 mins
407

ବନ୍ଧୁ ତୁ ତ ସଜ, ସୁବାସ

ଶୁଭ୍ର ସୌନ୍ଦର୍ଯ୍ୟ ପୁଷ୍ପ,

ମୁଁ ତ ଦୁର୍ବାଦଳ, ସବୁଜ

ଏକ ଅଲୋଡ଼ା ଘାସ। ୧


ମାଳି କରେ କେତେ ଯତନ

ପୁଷ୍ପ ବୃକ୍ଷ ରୋପିଣ,

ପୁଷ୍ପ ଆଶେ ଦେଇ ଗୋସାର

କରେ ଜଳ ସିଞ୍ଚନ।୨


ସୁମନ, ସୁମନେ ତୋ ସଙ୍ଗେ

ସଦା ଜୀବନ ଗଢେ,

ଜଗତେ ତୋ ଲୋଡ଼ା ସର୍ବଦା

ମୁଁ ତ ନିଇତି ମରେ।୩


ଗନ୍ଧ, ରୂପ, ରସ ତୋହର

ପାଏ ଯେ ସନମାନ,

ମୁଁ ଏକ ନିରସ,ନିରୂପ

ମାତ୍ର ସାମାନ୍ୟ ତୃଣ।୪


ବନ୍ଧୁ ତୋର,କାୟା ଛାୟାରେ

ପାଇ ମାଟି ପରଶ,

ଦେଖିତୋର ସ୍ମିତ ମୁଖକୁ

ପାଏ ନିତ୍ୟ ହରଷ।୫।


ତୃଣ ତୁମେ ଚୀରହରିତ

ମୁଁ ଯେ କ୍ଷଣଭଂଗୁର,

ତୁମେ ଦୃବା ଭିତ୍ତିପ୍ରସ୍ତର

ମୁଁ ଯେ ଶୋଭା ଶରୀର।୬


କୁଶ ରୂପେ ଅର୍ଘ୍ୟେ ଅର୍ପିତ

ଶ୍ରୀମନ୍ତ୍ରରେ ମନ୍ତ୍ରୀତ,

ଦିନ ବାର ରଂଗ ଭେଦରେ

ଥାଏ ମୁଁ ବିଭକ୍ତିତ ।୭


ଶୋଭ ତୁମେ ଦେବ ଲଲାଟ

ମଣି ସମ ଭୂଷଣ,

ନାହିଁ ମୋର ସ୍ଥାନ ନିର୍ଦିଷ୍ଟ

ତନୁ ଶିର ଚରଣ ।୮


ତୁମ ବନ୍ଧୁ ଧୂପ, ପ୍ରଦୀପ

ଗଙ୍ଗାଜଳ, ଚନ୍ଦନ,

ପଂଚଅର୍ଘ୍ୟ ସଜା ଥାଳରେ

ମୁଁ ଯେ ପାର୍ଶ୍ୱ ମଣ୍ଡନ ।୯


ତୃଣ, ମହକ ତୁ ମାଟିର

ଦୁହେଁ ସମ ଉଦ୍ଭବ,

ତୁ ଔଷଧ, ପ୍ରାଣ ଆହାର

ଜୀବଜନ୍ତୁ ମାନବ ।୧୦


ଛାଡି ରଙ୍ଗ, ରୂପ, ଗନ୍ଧରେ

ଅବା ବିଷୟେ ଚିତ୍ତ,

ଦେବା ସର୍ବେ ନିଜ ମହତ୍ୱ

କର୍ମ କରମେ ହିତ ।୧୧


ସ୍ଥାନ କାଳ ପାତ୍ର ଉର୍ଦ୍ଧରେ

ପାଳି ଗୋଟିଏ ବ୍ରତ,

ସହକର୍ମ ସହଯୋଗରେ

ହେବା ଈଶ୍ୱରଗତ ।୧୨


ନୁହେଁ କେହି ଗନ୍ୟ ନଗନ୍ୟ

ଜନ୍ମ ପ୍ରକୃତିଦତ୍ତ,

ନ୍ୟସ୍ତ ଧର୍ମେ କର୍ମେ ପରାଣ

ହେଉ ଉତ୍ସର୍ଗୀକୃତ ।୧୩


ଦୁବ, ପୁଷ୍ପର ଏ ସଂଳାପ

ମର୍ମ ଅନ୍ତର୍ନିହିତ,

ଗୁରୁ, ଲଘୁ କର୍ମ ଭେଦରେ

ବାଣ୍ଟ ନାହିଁ ବନ୍ଧୁତ୍ୱ ।୧୪


ମିତ୍ରତାର ଏଇ ବାରତା

ଲଭୁ ଚିର ବସନ୍ତ,

ଦର୍ଶାଉ ଗୀତରେ ଛନ୍ଦରେ

ଏକ ନୂଆ ଦୃଷ୍ଟାନ୍ତ ।୧୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract