କି ଦଶା ହୋଇବ ମୋର
କି ଦଶା ହୋଇବ ମୋର
ଫୁଲଟିଏ ନୁହଁ
ମାଳା ସାଜି ପ୍ରଭୁ
ଗଳାରେ ଝୁଲିବି ତୋର,
ଦୀପ ଟିଏ ନୁହଁ
ପାଦ ତଳେ ଜଳି
ଅନ୍ଧାର କରିବି ଦୂର ।
ତୁଳସୀ ଦୟଣା
ନୁହେଁ ମୁଁ ଠାକୁରେ
ତୁମ ମୁକୁଟର ଗଭା,
କସ୍ତୁରୀ ଚନ୍ଦନ
ଅବା ନୁହେଁ ମୁଁହିଁ
ଅଙ୍ଗ ଆଲିଙ୍ଗନ ଆଭା ।
ପ୍ରଥା ପରମ୍ପରା
ତୋର ରଥ ପଥେ
ହୋଇ ନ ପାରିଛି
ବ୍ରତୀ,
କର୍ତ୍ତବ୍ୟ ଭୂଷଣ
ବିବେକ ରଥରେ
ଜୀବନ ପଥରେ ସାଥୀ ।
ପୂଜା ଅରଚନା
ଭଜନ କୀର୍ତ୍ତନ
କରିନାହି କେବେ ତୋର,
ତୁମ ପାଦେ ଫେରି
ଜୀବ ଯାତ୍ରାସାରି
କି ଦଶା ହୋଇବ ମୋର ।
ପାଷାଣ ପଥର
ଏ ଜୀବନ ମୋର
ତୁମେ ପ୍ରଭୁ ଶିଳ୍ପୀକାର,
ଗଢି ଭରିଦିଅ
ନିହାଣ ପରସେ
ପଥରରେ ପ୍ରାଣସ୍ୱର ।