ଦୀପାବଳୀ
ଦୀପାବଳୀ
ଆଲୋକର ପର୍ବ ଅଟେ ଦୀପାବଳୀ
ଆନନ୍ଦ ଉଲ୍ଲାସ ଦିନ
ଆଲୋକମାଳାରେ ଉଠଇ ଝଲସି
ପଲ୍ଲୀ ପୁର ନଗ୍ର ଗ୍ରାମ ।
ଢୋଓ ଢାଆ ବାଣ ଆତସବାଜୀରେ
ଚର୍ତୁଦିଗ କମ୍ପମାନ
ଘରେ ଘରେ ହୁଏ କ୍ଷୀରି ପିଠାପଣା
ମିଷ୍ଟାନ୍ନର ଆବଣ୍ଟନ ।
କାର୍ତ୍ତିକ ମାସର ପୂର୍ବପର ତିଥି
ସୁପବିତ୍ର ପାଞ୍ଚଦିନ
ଉତ୍ସବ ମୁଖର ଆଲୋକ ଆକୃଷ୍ଟେ
ପତଙ୍ଗ କୀଟ ଦମନ ।
ଭକ୍ତ ପ୍ରହଲ୍ଲାଦ ନାତି ରାଜା ବଳୀ
ଥିଲେ ବୀର ମହାଦାନୀ
ସତ୍ୟଯୁଗେ ପ୍ରଭୁ ବାମନାବତାରେ
ମାଗିଲେ ତ୍ରିପାଦ ଭୂମି ।
ନାଭିକମଳର ତୃତୀୟ ପାଦରେ
ପାତାଳକୁ ତାଙ୍କୁ ଚାପି
ହେଲେ ପ୍ରାର୍ଥନାରେ ପ୍ରୀତ ଭଗବାନ
ଦେଇଥିଲେ ବର ଯାଚି ।
ଶୁକ୍ଳ ପ୍ରତିପଦେ ମର୍ତ୍ତ୍ୟକୁ କାର୍ତ୍ତିକେ
କରନ୍ତି ପ୍ରତ୍ୟାବର୍ତ୍ତନ
ଦୃଷ୍ଟାନ୍ତେ ସ୍ୱ।ଗତେ ହୁଅଇ ତାଙ୍କର
ଦୀପମାଳା ପ୍ରଜ୍ଜ୍ୱଳନ ।
ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର
ଦୁଷ୍ଟ ରାବଣକୁ ମାରି
ଜଗତ ଜନନୀ ସୀତୟା ଉଦ୍ଧରି
ଅଯୋଦ୍ଧାକୁ ଥିଲେ ଫେରି ।
ଦ୍ୱାପରରେ କୃଷ୍ଣ କରିଥିଲେ ନାଶ
ଦେବଗଣଙ୍କର ଦର୍ପ
ଯୁଦ୍ଧେ କରି ଜୟ ପାରିଜାତ ସହ
ଆବିର୍ଭାବ ସୁମୁହୂର୍ତ୍ତ ।
ଦେବୀ ସତ୍ୟଭାମା ହୋଇଥିଲେ ତୁଷ୍ଟ
ସ୍ମରଣୀୟ ଶୁଭଦିନେ
ରାଜା ବିକ୍ରମାର୍କ ଅଭିଷିକ୍ତ ହୋଇ
ବସିଥିଲେ ସିଂହାସନେ ।
କାଳସର୍ପ ଦୋଷ ହୁଅଇ ଖଣ୍ଡନ
ପକାଯାଏ ପୟାଶ୍ରାଦ୍ଧ
ପବିତ୍ର ମନରେ କରନ୍ତି ସ୍ମରଣ
ପିତୃଲୋକେ ସ୍ୱକୁଟୁମ୍ବ ।
ପୁକାରନ୍ତି ଉଚ୍ଚେ ଆସ ଆସ ପ୍ରିୟ
ଆମର ବଡ଼ବଡୁଆ
ଯାଆ ଗଙ୍ଗା ଗୟା ଶ୍ରୀପୁରୁଷୋତ୍ତମ
ଶ୍ରୀମହାପ୍ରସାଦ ଖାଆ ।
ଅନ୍ଧାରରେ ଆସି ଆଲୁଅରେ ଯାଆ
ବାଇଶି ପାହାଚେ ଯାଆ
ଦିଅ ଶୁଭାଶିଷ ସରଗରେ ଥାଇ
ଗଡଗଡେଇ ହେଉ ଥାଆ ।
----
