ମନ ଆକାଶର ମେଘ ମହ୍ଲାର
ମନ ଆକାଶର ମେଘ ମହ୍ଲାର
ଅନେକ ଥର ଦେଖିଛି
ସେ ବସନ୍ତର ପୃଥିବୀକୁ,
ଅନୁଭବ କରିଛି
ତା ଆକାଶ ଭର୍ତ୍ତି ଅଭିପ୍ସାକୁ !
ତା ଭିତରେ ଲାଭା ନାହିଁ,
ନିଦାଘ ନାହିଁ ।
ଆଞ୍ଜୁଳାଏ ମେଘ ହେଉ କି ପ୍ରେମ,
ଉଭୟେ ତ ଭିଜେଇ ଦିଅନ୍ତି ।
ସେ ଇଚ୍ଛାମତି ନଈର ଛାଇରେ
ବେଳେବେଳେ ବିଭୋର ହୁଏ
ବୈଶାଖୀ ଝଡ।
ଅନେକ କଥା ଆଉ ଗାଥା ର
ଅବଗାହନ ପରେ
ସମାଧିସ୍ଥ ହୁଏ ଯୌବନ।
ମନ ଆଉ ମାନ ଉଭୟେ ତ
ସିଡ଼ି ପକାନ୍ତି ଆକାଶ ଛାତିରେ।
ଦହନର ଦାହ ରେ ଭିଜୁଥିବା ଦେହ
ଇଚ୍ଛାମତିର କାମନାର ମୋହ
କେବେ କେବେ ରତି
ଆଉ କେବେ ପ୍ରୀତି,
ଯେତେ ଚାହିଁଲେ ବି
ତାଙ୍କସହ
ସାଗର କି ମିଳେଇ ପାରେ ଛାତ
ି ।
ଏବେ ଏବେ
ଆମ ଗାଁ ମୁଣ୍ଡ ଦେଇ
ପାଖେଇ ଯାଉଛି ମୌସୁମୀ
ସିତଳତା ର ପରସ ଅପେକ୍ଷାରେ
ତୁମର ଆମର ସମ୍ପର୍କ !
ଗ୍ରୀଷ୍ମର ଉଷୁମ ଚୁମ୍ବନ
ଆଉ ଦଲକାଏ ତତଲା ପବନରେ
ଦୋହଳି ଯାଉଛି କୁଆଁରୀ ମନ
ତୁମେ ଅପହଞ୍ଚ ଯେ ଅପହଞ୍ଚ
ମୋ ପୃଥିବୀର ଅନ୍ଧାରି ଇଲାକାରୁ ।
ଏବେ କିନ୍ତୁ....
ସେଇ ଅପହଞ୍ଚର ଅନ୍ଧାରି ଇଲାକାରେ
ନିମିଷକେ ଅବତରେ ମନର ମାନସୀ
ପ୍ରଚଣ୍ଡ ନିଦାଘର ଜ୍ୱାଳା ଆଉ
ଉଷ୍ମ ଅପରାହ୍ନରେ
ଶ୍ରାବଣୀଟିଏ ହୋଇ ବର୍ଷି ଯାଏ
ଛନ୍ଦାୟିତ ନୃତ୍ୟର ତାଳେ ତାଳେ !
ସୁଶୀତଳ କୋମଳ ପରଶେ
ଭିଜାଇ ଦିଏ, ହଜାଇ ଦିଏ
ମୋ ପୃଥିବୀର ସମଗ୍ର ଅସ୍ତିତ୍ୱ ।