ଝରା ଶେଫାଳିର ମହକ
ଝରା ଶେଫାଳିର ମହକ
କଢି ଧରିଲା ପ୍ରସ୍ଫୁଟିତ ହେଲା
ଭୂରୁ ଭୂରୁ ବାସ୍ନାରେ ବାସ୍ନାୟିତ ହେଲା
ଅବର୍ଣ୍ଣନୀୟ ଲାଳିମାର ଆଭା
ତା ଭିତରୁ ବିଛୁରିତ ହେଲା ।
କୋମଳମତି ସେ ନବଯୌବନା
ପାହାଡ଼ି କନ୍ୟା ସେ ଛୁଟାଇ ବନ୍ୟା
ଡଙ୍ଗରି ଝରଣାର ସଙ୍ଗୀତ ମୂର୍ଚ୍ଛନା ।
ଅଫୁଟା ଫୁଟିଲା ବାସ ଚହଟିଲା
ପ୍ରତିଭା ବିକଶି
ଯୌବନ ସୀମାର ଶିଖର ଛୁଇଁଲା
ସୁନ୍ଦରତା ପଣେ ସଭିଙ୍କୁ ମୋହିଲା !!
ଜଗତର ତାରାଟିଏ
ଅନୁଭବର ଦୃଷ୍ଟାନ୍ତ ସିଏ
ପଥରର ଅନୁକମ୍ପନ
ପ୍ରତିଭାର ଉଦ୍ଗିରଣ
ଯୌବନର କାମିନୀ କାଞ୍ଚନ !
ଆଧୁନିକତାର
ସମତାଳରେ ସେ
ସାମିଲ ହେବ ବା କେମି
ତି ?
ପାଶ୍ଚାତ୍ୟ ସଭ୍ୟତାର ସ୍ୱାଦ
ଚାଖିପାରିନି ସିନା
ସଂସ୍କୃତି ଓ ସଭ୍ୟତାର
ସୁଦୀର୍ଘ ପାଚେରୀ ଭିତରେ
ନିଜକୁ ସେ ଆବଦ୍ଧ ରଖିଛି
ସୂର୍ଯ୍ୟାସ୍ତକୁ ପାଟ କରି
ଦେହରେ ପିନ୍ଧିଛି
କେଶରେ ଯତନ କରି
ତାରାଙ୍କୁ ଖୋସିଛି !!
ପ୍ରତିଭାର ତାଜମହଲରେ
ନିନାଦିତ ପ୍ରତିଟି ପାଖୁଡ଼ାରୁ
କେମିତି ଛୁଟୁଛି ତା ଜୀବନଗ୍ରନ୍ଥର
ଅପୂର୍ବ ଝଟକ ।
ଅସଭ୍ୟତାର ସେ ଅନ୍ଧପୁଟୁଳି ଭିତରୁ
ବାହାରି ଆସ ଦେଖିବ
ତା କରୁଣ କାହାଣୀର ଝଲକ ।
ଅନୁଭବ କର ଥରେ
ଜାଣିପାରିବ
ସେ ଝରା ଶେଫାଳିର ମହକ ।।।