ଚିତ୍ରଲେଖା
ଚିତ୍ରଲେଖା
ସହର ରୁ ଅନେକ ଦୂରେ......!
ଖାଲ ଖମା ର ପଥୁରିଆ ରାସ୍ତା ଦେଇ
ପାହାଡ଼ ସେ ପଟେ
ଚିତ୍ରଲେଖା ର ଗାଁ ।
ଚିତ୍ରଲେଖା.......!
ଯୌବନ ଢେଉରେ କୁଳ ଖାଉଥିବା
ପୂର୍ଣ୍ଣଗର୍ଭା ନଈଟିଏ ।
ସବୁଜ ଧାନ କ୍ଷେତରେ
ଖୁଣ୍ଟି ଖାଉଥିବା ଶାଗୁଆ ଶାରୀ ଟିଏ ।
ଆକାଶ ଭର୍ତ୍ତି ମେଘମାଳା କେବେ ତ !
ଅଙ୍କା ବଙ୍କା ହୋଇ
ପାହାଡ଼ ଦେହରୁ ଝରି ଯାଉଥିବା
ନିରୀହ ନିର୍ଝରିଣୀ ଟିଏ।
ତା ରୂପ ଯୌବନ ଆଗରେ
ଆତ୍ମହତ୍ୟା କରନ୍ତି ସମଗ୍ର ପ୍ରକୃତି ।
ଦିଗବଳୟ ର ରଙ୍ଗୀନ ଇନ୍ଦ୍ରଧନୁ ବି
ଲାଜେଇ ଯାଏ ।
ବେଳେବେଳେ ତା ଚାରୁ ଚର୍ଚ୍ଚିତ
ଚିତ୍ରକଳ୍ପରେ
ଚୋରା ଚୈତାଳିର ମତିଭ୍ରମ ହୁଏ ।
ଚିତ୍ରଲେଖା....!
ଶ୍ୟାମଳ ଅଙ୍ଗବସ୍ତ୍ର ର
ପରିପାଟୀ ରେ ଶୋଭାପାଏ
କୋମଳ ତନୁରେ ତାର
ସୁଢଳ ଯୌବନ ଲହଡି ଭାଙ୍ଗେ ।
କଳାମେଘ ର ମତିଭ୍ରମ କରୁଥିବା
ତା ଘନ କେଶରାଶି ହୃଦୟ କିଣେ ।
ଚିତ୍ରଲେଖା,
ନିତି ଆସେ ତୁଠକୁ !
ସେଇ ଦୁର୍ଗମ ଅନାବନା ରାସ୍ତାରେ
ହଲି ଝୁଲି ।
ତାର ଆବର୍ତ୍ତନ ରେ
ଲବଙ୍ଗ ଦ୍ବୀପର ମନ୍ଦ ମଳୟ
ଅଳସ ଭାଙ୍ଗେ
କଇଁ କଇଁ କାନ୍ଦେ
କାମନା ର ଲୁବ୍ଧ ନୀଳକଇଁ
ମହ ମହ ମଧୁମାଳତୀ ର ଗଜରା ନାଇ
ଥରାଇ ଦିଏ ଜୁଆନ ଛାତି।
ମାଟି ଶୀତଳ ହୁଏ
କମିଯାଏ ତାତି ।
ଆଲୁଅ ର ଆବେଗରେ
ଉଭାନ ହୁଏ ରାତି।
ତା ସ୍ମୃତିକୁ ଖୋଜି ଖୋଜି
ବୁଲିଛି ମୁଁ ପାହାଡ଼ ଡଙ୍ଗର,
ଅନେକ ଖୋଜିଲା ପରେ
ଯେବେ ମୋତେ ଲାଗେ ଏକା ।
ପଥରେ ପଥରରେ
ଗଗନରେ ଆଉ ପବନରେ
ଅନୁଭବ କରିଛି ତା
ଯୌବନର ଦିଗବଳୟ ରେଖା
ରୂପ ଗୁଣେ ଅନନ୍ୟା ମୋ
ଚାରୁ ଚିତ୍ରଲେଖା ।।