ଋତୁରାଜ ବିଦଗ୍ଧ ବସନ୍ତ
ଋତୁରାଜ ବିଦଗ୍ଧ ବସନ୍ତ
ଋତୁଚକ୍ରର ଆବର୍ତ୍ତନେ
ମହୁଲି ମଳୟ ହୋଇଛି ଜୀବନ୍ତ ।
ଉତ୍ଫୁଲ୍ଲିତ ଶୀତ ର ଶୀର୍ଣ୍ଣତାକୁ ଡେଇଁ
ଧରା ପୃଷ୍ଠେ ଆସିଛି ବସନ୍ତ ......!!
ଜୀର୍ଣ୍ଣତା, ନିରସତା, ରୁକ୍ଷତାକୁ ତେଜି
ପୁଲକିତ ବସୁନ୍ଧରା
ପଲ୍ଲବିତ ତରୁଲତା
ଆମ୍ବ ବଉଳର ଆବେଗରେ ସମ୍ମୋହିତ ।
କଅଁଳ ଛନ ଛନ କୁଆଁରୀ ପତ୍ରଙ୍କ ଗହଳେ
ଅଳସ ଭାଙ୍ଗେ ପହିଲି ବସନ୍ତ ।।
ପ୍ରକୃତି ରାଣୀର ଆଜି
ଋତୁରାଜଙ୍କ ଆବାହନୀ ମନ୍ତ୍ର ।
କୋମଳ ବସନ୍ତର କମନୀୟ କାନ୍ତିରେ
ବିମୁଗ୍ଧ ପ୍ରାୟ ହଳଦୀ ବସନ୍ତ ।।
ସତେ,
ଯମୁନା କୁଳର କୁହୁକ ବଂଶୀ
ଗୋପ ଗୋପାଙ୍ଗନାଙ୍କ ବିରହ
ବସନ୍ତ ବିଜୟ ଗାଥା ।
ପଳାଶ, ସିମୁଳିର ରକ୍ତିମ ଆଭାରେ
ପ୍ରକୃତି କୋଳରେ ପ୍ରଣୟ ବାର୍ତ୍ତା ।।
ଶିବରାତ୍ରୀ, ରାମଜନ୍ମ,ରାଧାକୃଷ୍ଣଙ୍କ ମିଳନ ରାସ ।
>
ଚୈତ୍ର ର ଚଇତାଳିରେ ମା ଆସିବେ ବୋଲି
ଧରଣୀ ରାଣୀର ଏ ଯୌବନ ବେଶ ।।
କୁଙ୍କୁମ, କଜ୍ବଳ, ଅଳତାର ଧାରେ
ରଙ୍ଗ ରୋଷଣୀର ମୂର୍ଚ୍ଛନା ସୁରେ
ପ୍ରେୟସୀ ପାଲିଙ୍କିରେ ଶତ-ସୁମନର ସମ୍ଭାରେ ।
ପ୍ରେମ ପ୍ରଣୟରେ ଉନ୍ମତ୍ତ
ସ୍ନିଗ୍ଧତା ସବୁଜିମାରେ ବିଚିତ୍ରବର୍ଣ୍ଣା ବସନ୍ତ
ଅବିରର ସାତ ରଙ୍ଗେ ଆମନ୍ତ୍ରଣ କରେ ।।
ବିଦଗ୍ଧ ବସନ୍ତ......!
ରସିକ ମନକୁ ବିମୋହିତ କରେ
ରଜନୀ ରାଣୀ ର ସଂଭୋଗ ଆଶେ ।
ଅପୂର୍ବ ମଞ୍ଜୁଳ କାନ୍ତି
ମଧୁ ଗୁଞ୍ଜରଣେ କାକଳି ଭାଷେ ।।
ଦଲକାଏ ପବନରେ ଦୋହଲି ଯାଉଛି
ଋତୁରାଜ ବସନ୍ତ l
ଦେଖ,
ଆମ୍ବ ବଉଳ ର ସନ୍ଧିରୁ କୋଇଲି ଗାଉଛି
ପ୍ରୀତି ପ୍ରଣୟର ମଧୁର ସଙ୍ଗୀତ
ଯାହା ପ୍ରକୃତିକୁ କରେ ବିମୋହିତ
ସିଏ ତ ଋତୁରାଜ ବିଦଗ୍ଧ ବସନ୍ତ ।