ଚାରୂଲତା
ଚାରୂଲତା
ନିଦ୍ରିତ ସ୍ବପ୍ନର ଆରପାରିରେ
ସିନ୍ଦୂରା ଫାଟିଲା
ରକ୍ତିମ ଆଭାର ଆଲୋକରେ
ଆଲୋକିତ ହେଲା
ମୋ ଶୂନ୍ୟ ଦେବତାର ପର୍ଣ୍ଣ କୁଟୀର ।
ଶ୍ୟାମଳ ପତ୍ରରାଜି ଆଉ
ଗହଳ ବନର ଛାଇ !
ସୁନ୍ସାନ୍ ଇଲାକା,
ଶୀତଳ ସମୀରଣରେ
କୋଇଲିର ବିଭୋର ପଣରେ
ଝକ୍ମକ୍ ଦିଶୁଛି ଚାରୂଲତା ।
ଚାରୂଲତା.... ଅଳସୀ ନଈ ଟିଏ...!
ନା କୋମଳ କଇଁ ଟିଏ....!
ସନ୍ଦିହାନ ହେଲି !!
ସନ୍ଦେହ ଓ ଅବିଶ୍ୱାସକୁ
ବେଖାତିର କରି,
ଚିମୁଟାଏ ପରିଚୟ ଭିତରେ
ଖୋଜି ବୁଲିଲି
ସେ ଅଚିହ୍ନା ସମ୍ପର୍କର ପରିଚୟ।
ଅନେକ ଭାବିଲି....ବେସ୍ ଖୋଜିଲି........!
ସନ୍ଦେହ ଭିତରର ସୁନ୍ଦରତା
ଆଉ ,
ଅବିଶ୍ୱାସ ରୁ ଆନ୍ତରିକତାର
ପରିସୀମାକୁ କସିଲି
ହୃଦୟର କସଟି ପଥରରେ ।
ପାଗଳ ପଣର ମୁହୂର୍ତ୍ତ ମାନଙ୍କ ସହ
ସାଲିସ କରୁ କରୁ
ପାଇନି ଉତ୍ତର
ଝୁଣ୍ଟିଛି ଅନେକ ଥର ।
ତଥାପି....!
କେବେ ଖୋଜିନି ବାଟ ଫେରିବାର ।।
ତା ହୃଦୟକୁ ଛୁଇଁନି ମୋ
ଛିନ୍ନ ବୀଣାର ସ୍ୱର,
ମୁଁ କିନ୍ତୁ,
ଅଜାଣତରେ ଶୁଣିଛି
ତା ହୃଦୟର ଅମୃତ ଝଙ୍କାର
ଆଉ ତୋଳିଛି
ସମୁଦ୍ର ବାଲିରେ ପ୍ରେମର ନଅର ।
ଚାରୂଲତା..!
ଲାଜେଇ ଯାଏ,ଲାଜକୁଳୀ ଲହ ପରି,
ଫୁଲେଇ ହୁଏ
ଫୁଲେଇ ଫଗୁଣ ପରି ।
ରୁଷିଯାଏ,କଳା ଘୁମୁର ମେଘ ପରି
ହସିଦିଏ,କୁଆଁର ପୁନେଇଁ ଜହ୍ନ ପରି ।।
ନିଃଶବ୍ଦ ରାତିର ଛାତି ଚିରି
ଶୁଭ୍ର ଚନ୍ଦ୍ରଲୋକେ
ଉଦ୍ଭାସିତ ହୁଏ।
ଉନମିଳିତ ବାହୁରେ
ମୋ ସ୍ୱପ୍ନରେ ଆସେ !
ହୃଦୟରର ସୂକ୍ଷ୍ମ ଆଭରଣେ
ସ୍ନିଗ୍ଧ ଗୋଲାପର ମଧୁର ମହକ ନେଇ
ବୁଣିଦିଏ ଆଞ୍ଜୁଳାଏ ସ୍ୱପ୍ନ ।
ଭିଜା ମାଟିର ବାସ୍ନାରେ
ବାସ୍ନାୟିତ କରେ ନିଷ୍ଠୁର ହୃଦୟ ,
ଆଉ,
ମଧୁର ଯନ୍ତ୍ରଣା ଦେଇ
ଡେଣା ଝାଡ଼ି ନେଇଯାଏ
ଅନ୍ଧାରୀ ବିଦାୟ ।।