ଶ୍ରାବଣୀ
ଶ୍ରାବଣୀ
ମୁକ୍ତ ଆକାଶର କାଉଁରୀ କନ୍ୟା ଗୋ
ଅପରୂପ ତୁମ ପୀୟୂଷର ଧାରା
ଅମୃତ ର ସଂଜିବନୀ ।
ଶ୍ରାବଣୀ
ତୁମେ ଉଛୁଳା ନଈର ପାଣି ।
ଆଦ୍ୟ ବରଷାର କୁଆଁରୀ କନ୍ୟା ଗୋ
ମେଦୁର ଆକାଶେ ମହନୀୟ ତୁମେ
ନିଦାଘ ତାପ ନାଶିନୀ ।
ଶ୍ରାବଣୀ
ତୁମେ ଉଛୁଳା ନଈର ପାଣି ।
କଳା ବଉଦରେ କୁଆଁରୀ ଛନ୍ଦେ
କାଗଜ ଡଙ୍ଗାରେ ମହ୍ଲାର ତୁମେ
ଶ୍ରାବଣ ର ପାଟରାଣୀ ।
ଶ୍ରାବଣୀ
ତୁମେ ଉଛୁଳା ନଈର ପାଣି ।
ମ୍ଳାନ ମୌସୁମୀ ର ମହନୀୟତା ଗୋ
ସାଧବ ବୋହୂର କୁଆଁରୀ ମଥାରେ
ସତେ କି ନାଲି ଓଢଣୀ ।
ଶ୍ରାବଣୀ
ତୁମେ ଉଛୁଳା ନଈର ପାଣି ।
ନିଃଶବ୍ଦ ରାତିର ଶବ୍ଦର ଝଙ୍କାରେ
ରୂପ ସୁଷମା ର ଲାବଣ୍ୟବତୀ ଗୋ
ଆସ ଜଗତ କଲ୍ୟାଣୀ ।
ଶ୍ରାବଣୀ
ତୁମେ ଉଛୁଳା ନଈର ପାଣି ।
ତୁମ ଆଗମନେ ତୃପ୍ତ ଲଭୁ ଧରା
ଶିହରଣ ଖେଳୁ ବିଶ୍ୱ ବୁକୁରେ ଗୋ
ରୌଦ୍ର
ହୁଏ ଅସହଣୀ ।
ଶ୍ରାବଣୀ
ତୁମେ ଉଛୁଳା ନଈର ପାଣି ।
ଶୁଖିଲା ନଈ ରେ ଯଉବନ ଆଜି
ପୂର୍ଣ୍ଣଗର୍ଭା ହେଉ ସବୁଜ କ୍ଷେତ ଗୋ
ନଈ ନାଳ ନିର୍ଝରିଣୀ ।
ଶ୍ରାବଣୀ
ତୁମେ ଉଛୁଳା ନଈର ପାଣି ।
ମେଘ ମହ୍ଲାର ରେ ଛମ ଛମ ହୋଇ
ଭିଜା ମାଟି ଗନ୍ଧେ ମୟୂର ନାଚେ ଗୋ
ବଜାଇ ମେଘ ରୋଷଣୀ ।
ଶ୍ରାବଣୀ
ତୁମେ ଉଛୁଳା ନଈର ପାଣି ।
ଶାଶ୍ୱତ ପ୍ରେମର ପୁଣ୍ୟ ମହନୀୟା
ଶୂନ୍ୟ ଆକାଶର ବକ୍ଷ ଚିରି ତୁମେ
ଢାଳିଦିଅ ସ୍ରୋତଶ୍ୱିନୀ ।
ଶ୍ରାବଣୀ
ତୁମେ ଉଛୁଳା ନଈର ପାଣି ।
ତୋ ପାଇଁ ଲେଖିଛି ପ୍ରୀତି ର କବିତା
ଆସ ପ୍ରିୟତମା ନ ରଖି ଦୂରତା
ତୁମେ ପ୍ରେମ ପ୍ରଣୟିନୀ ।
ଶ୍ରାବଣୀ
ତୁମେ ଉଛୁଳା ନଈର ପାଣି ।
ଗାଁ ବିଲ ବଣେ କାଦୁଅ ରାସ୍ତାରେ
ଅଧାଲେଖା ମୋ କବିତାରେ ତୁମେ
ସବୁଜିମା ଦିଅ ବୁଣି ।
ଶ୍ରାବଣୀ
ତୁମେ ଯୌବନ ନଈ ଉଜାଣି ।