ବାତ୍ୟା
ବାତ୍ୟା
ବାତ୍ୟା
.........
ବାତ୍ୟା ମହାବାତ୍ୟା ଫି ବର୍ଷ ଆମ
ସୁଖ ନେଉଛନ୍ତି ଧୋଇ
ଥରେଇ ଦେଇସେ ଆକାଶରୁ ମାଟି
କୂଳକୁ ଆମର ଛୁଇଁ
ପବନ ତୋଫାନ କରାଳ ରୂପରେ
ପ୍ରଳୟ ଯାଏରେ ରଚି
ଧନୀ କି ଗରିବ ସବୁରି ଓଠରୁ
ହସ ଦିଏ ସେତ ପୋଛି
ଅଶାନ୍ତ ହୁଅଇ ସାଗର ର ବୁକୁ
ଯୁଆର ଆସଇ ମାଡି
ଉପକୂଳିଆସେ ଗାଁ ଗଣ୍ଡା ସବୁ
ପାଣିରେ ତ ଯାଏ ବୁଡି
ବରଷା ବରଷେ ମୂଷଳ ଧାରାରେ
ପବନ କରଇ ରଡି
ଝଙ୍କା ଗଛ ସବୁ ଉପୁଡି ପଡଇ
ଛପର ଯାଏରେ ଉଡି
ବିଜୁଳି ଖୁଣ୍ଟର ଅଣ୍ଟା ନଇଁ ଯାଏ
ଛିଡିପଡେ ସବୁ ତାର
ସଞ୍ଜ ଆସୁଆସୁ ଅନ୍ଧାର ଘୋଟଇ
ରାତି ଲାଗେ ଭାରି ଡର
ତମସା ଘେରରେ ସହର ନଗର
ଚଉଦିଗ ହତଶିରି
ମଫସଲ କଥା ପଚାରୁଛି କିଏ
ହୃଦୟ ଦିଏରେ ଚିରି
ଉଜୁଡିଯାଏରେ ପରିବା କିଆରୀ
ଉଜୁଡଇ ଧାନ କ୍ଷେତ
ଉଜୁଡା କ୍ଷେତକୁ ଦେଖି ଚଷା ଭାଇ
କପାଳରେ ମାରେ ହାତ
ଗାଁ ମୁଣ୍ଡେ ସେହି ଆମ୍ବ ତୋଟାକୁ ତ
ହୁଏ ନାହିଁ ଜମା ଚାହିଁ
ପବନ ମାଡରେ ଗଛ ସବୁ ସତେ
ଅକାଳେ ପଡନ୍ତି ଶୋଇ
ଜ୍ଞାନବଳେ ସିନା ମଣିଷ ଆଗୁଆ
ପ୍ରକୃତି ପାଖରେ ଦାସ
ସବୁରି ଓଠରୁ ହସ ଲୁଟି ନିଏ
କରେ ଯେବେ ସିଏ ରୋଷ .