ଶ୍ରଦ୍ଧାରେ ତୁମକୁ ଈଶ୍ୱର ଡାକୁଛି
ଶ୍ରଦ୍ଧାରେ ତୁମକୁ ଈଶ୍ୱର ଡାକୁଛି
ଶ୍ରଦ୍ଧାରେ ତୁମକୁ ଈଶ୍ୱର ଡାକୁଛି
ଲୋକେ ସିନା ଜାଣୁଛନ୍ତି,
ଅନ୍ତରରେ ମୋର ସେ ଡାକ ଶୁଭେନି
ଭରିଛି ମେଞ୍ଚାଏ କ୍ରାନ୍ତି ।
କ୍ରାନ୍ତିରେ ଭରିଛି ବିଭ୍ରାନ୍ତ ଭାବନା
ଆମ ସମ୍ପର୍କକୁ ନେଇ,
ଜାଣି କି ପାରୁଛ ଛଳରେ ଛଳରେ
ଭଲ ପାଏ,ଦିଏ କହି ?
ଲୋକଦେଖାଣିଆ ଭାବ ଦିଆନିଆ
ଚାଲିଛି ଆମ ଭିତରେ,
ଭାବ ବନ୍ଧନର ମିଛ ଦର୍ପଣରେ
ଭକ୍ତିକୁ କିଏ ପଚାରେ !
ପଢ଼ିଛି ପୁରାଣେ ଦ୍ୱାପରରେ ଦିନେ
ବିଦୁର ଶାଗପଖାଳ,
ଅତର୍କିତେ ଯାଇ ଦେଇଥିଲ ଖାଇ
ଆହେ କପଟୀ ଶୃଗାଳ !
ଚାଲାକିରେ ତୁମେ ଶୃଗାଳଠୁ ଶ୍ରେଷ୍ଠ
ଛଳନାରେ ତୀଵ୍ରତମ,
କାହିଁକି ତା'ହେଲେ ମୋ' ଛଳନାତକ
ଲାଗଇ ତୁମକୁ ଭିନ୍ନ ?
ଲୋକଦେଖାଣିଆ ଭକତିରେ ମୋର
ଲୁଚି ଲୁଚି ହସୁଥାଅ,
ସେଇଥିପାଇଁ କି ମହଣ ମହଣ
ଘିଅରେ ସନ୍ତୁଷ୍ଟ ହୁଅ ।
ମହଣ ମହଣ ଘିଅ ଦିଏ ସିନା
ତୋଷାମଦ କରିବାକୁ,
ହଜାର ହଜାର କ୍ଷୁଧାତୁର କ୍ଷୁଧା
ଆଖି ନାହିଁ ଦେଖିବାକୁ !
ମନ୍ଦିର ଭିତରେ ଷାଠିଏ ପଉଟି
ନିତି ହୁଏ ତୁମପାଇଁ,
ବାଇଶି ପାହାଚେ ଦରିଦ୍ରଙ୍କ ପାଇଁ
'ହା ଅନ୍ନ' ଅଭାବ ନାହିଁ !
ମିଛ କହିବାକୁ ତୁମଠୁ ଶିଖିଛି
ଆହେ ମିଛ-ସୌଦାଗର,
ସତ ବଜାରରେ ମିଛ ପସରାକୁ
କଉଶଳେ ବିକ୍ରି କର !
ତୁମ ଚରିତ୍ରର କି ଗୁଣ ଗାଇବି
ସବୁ ଗୁଣରେ ନିଖୁଣ,
କିଛିଟା ଗୁଣକୁ ଆପଣେଇ ନେଇ
ଭାବେ ନିଜକୁ ନିପୁଣ ।
ନରେ ବା କୁଞ୍ଜରେ ଅଶ୍ୱତ୍ଥାମା ହତ
ମିଛୁଆ ପଣେ କହିଲ,
ତୁମେ ତ କହିଲ ମୋତେ ଶିଖେଇଲ
କି ଯଶ ତୁମେ ପାଇଲ ?
ତୁମରି ମିଛରେ ଅବଶ୍ୟ ସେଦିନ
ମହତ ଉଦ୍ଦେଶ୍ୟ ଥିଲା,
ମୁଁ ମିଛ କହୁଛି ନିଜର ସ୍ୱାର୍ଥକୁ
ପାଇବାକୁ ଚକାଡୋଳା !
ଅଳପ ମିଛରେ ଅନ୍ୟର ମଙ୍ଗଳ
ନୁହେଁ ଘୋର ଅପରାଧ,
ଶାସ୍ତ୍ରାନୁମୋଦିତ ନ ହୋଇ ବି ହୁଏ
ସମାଜ ସତ୍ୟ ସମ୍ବାଦ ।
ବିଶ୍ୱ ଭୂଗୋଳକୁ ଗୋଟେଇ ସାଉଁଟି
ତୁମେ ତ ଚକାନୟନ ।
ବିସ୍ତୀର୍ଣ୍ଣ ବ୍ରହ୍ମାଣ୍ଡ ଅଖଣ୍ଡ ହେଲେ ବି
ତୁମରି ଆଗେ ସଂକୀର୍ଣ୍ଣ ।
ଦେଖି ତ ପାରୁଛ ନୀରବ ରହୁଛ
ମୋ' କଳାବଜାରୀ ଗୁଣ,
କାହିଁକି ତା' ହେଲେ ସୁଧାରି ଦେଉନ
ମାନବ କୁତ୍ସିତପଣ ?
ସୃଷ୍ଟି ଆଉ ସ୍ରଷ୍ଟା ଉଭୟ ଭିତରେ
ସତ୍ୟର ପ୍ରତିଷ୍ଠା କର,
ତା'ହେଲେ ହସିବ ତୁମ ସୃଜନର
ମଣିଷ,ମାଟି,ସଂସାର !