STORYMIRROR

Chittaranjan Nanda

Abstract Others Children

4  

Chittaranjan Nanda

Abstract Others Children

ଓଡିଶାର ରସଗୋଲା

ଓଡିଶାର ରସଗୋଲା

2 mins
392


ତୀର୍ଥଧାମ ଜଗନ୍ନାଥ-ପୁରୀ, ଅବଢ଼ା କଣିକାଏ 

ପାଟିରେ ବାଜିଲେ ଜୀବନ ହୁଏ ସାର୍ଥକ 

ଓଡ଼ିଶା ମୂଲକରେ ସଡ଼କ ବୋଲି କହିଲେ ସେତେ 

ବେଲେ ଥିଲା ଜଗନ୍ନାଥ ସଡ଼କ ।୧।


ଦାଣ୍ଡର ନାଁ ବଡ଼ ଦାଣ୍ଡ, ନାମ ବଡ଼ ଦେଉଳ, 

ଜଗନ୍ନାଥଙ୍କ ଦେଉଳର

ଅନ୍ନ, ବ୍ୟଞ୍ଜନ, ସରପୁଳି, ଆରିସା, ମଣ୍ଡା, 

କାକରା, ଏଣ୍ଡୁରି, କାନ୍ତି, ନାମର ।୨।


କଡ଼ମ୍ବା, ଖଜା, ଗଇଁଠା, ତାଡ଼ିଆ, ଚକୁଳି, 

ଡ଼ାଳିମ୍ବ, ପାପୁଡ଼ି, ପାରିଜାତକ ନାମରେ

କେତେ କେତେ ହିସାବ ନାଇଁ ଭୋଗ ଆଦିର 

ଯାହା ତିଆରି ହୁଏ ବଡ଼ ଦେଉଳରେ ।୩।


ଜଗନ୍ନାଥ ମହାପ୍ରଭୁଂକୁ, ଆମେ ଶ୍ରଦ୍ଧାରେ 

ଡାକୁ କାଳିଆ ଠାକୁର

ପୁରୀ ଯାଇ ଠାକୁରଙ୍କୁ ଦର୍ଶନ କରିବା ଥିଲା 

ଦିନେ ଅତି କଷ୍ଟକର ।୪।


ଲକ୍ଷ୍ମୀ ଠାକୁରାଣୀଙ୍କ ଲାଗି ରନ୍ଧନ ପ୍ରସ୍ତୁତ 

କରନ୍ତି ବାହାର-ଦେଉଳି ସୁଆର 

ଶ୍ରୀମନ୍ଦିରରେ ସେତେବେଳେ ଥାଆନ୍ତି ଦାମୋଦର 

ମହାପାତ୍ର ବାହାର ଦେଉଳି ସୁଆର ।୫।

  

ସିଦ୍ଧହସ୍ତ ଥିଲେ ସେ ଲକ୍ଷ୍ମୀ ବିଳାସ, ରସାବଳି, ପୋଡ଼ 

ପିଠା, ମାଣ୍ଡୁଅ, କ୍ଷୀରମୋହନ କରିବାକୁ

ପଣ୍ଡା, ପଢ଼ିଆରୀ କହନ୍ତି ଠାକୁର ମାନେ କୁଆଡ଼େ ଚାହିଁ 

ଥାଆନ୍ତି ତାଙ୍କ ହାତ ମିଠା ଖାଇବାକୁ ।୬।


ରସବତୀ ଥିଲା ଗେହ୍ଲା ନାତୁଣୀ ଦେଉଳି ସୁଆର

ଦାମୋଦର ମହାପାତ୍ରଙ୍କର

ସେ ସବୁ ଦେଖେ, କୌତୁହଳ ହୁଏ, ରାନ୍ଧନ୍ତା, 

ପ୍ରଶ୍ନ ପଚାରିବାକୁ ନୁହେଁ ଛାଡିବାର ।୭।


ଛେନା ତିଆରି ହେବା ଦେଖିଲେ ରସବତୀ 

କ୍ଷୀର ହାଣ୍ଡିକୁ ଚାହିଁ ରହେ 

କ୍ଷୀରରୁ ଛେନା ଆପେ ଆପେ ତିଆରି ହେଉଛି 

ତାହା ବସି ବସି ଦେଖୁଥାଏ ।୮।


କ'ଣ କାମ ପଡ଼ିଲା ବୋଲି ଦାମୋଦର ମହାପାତ୍ର

ଟିକେ ବାହାରକୁ ଚାଲି ଗଲେ 

ରସବତୀ ସେଇ ଛେନାରୁ କିଛି ଆଣି ବାଟି ଭଳି 

ଗୋଲ୍‌ ଗୋଲ୍‌ କରି ଖେଳିବାକୁ ଲାଗିଲେ ।୯।


ଜେଜେ କାଳେ ଜାଣିବେ, ଛେନା ଗୁଳା ଚାରିଟାକୁ 

ପକେଇ ଦେଲା କ୍ଷୀର ହାଣ୍ଡି ଭିତରକୁ 

ଚାରିଟି ଗୋଲ୍‌ ପଦାର୍ଥ କ୍ଷୀରରେ ଭାସୁଛି ମହାପାତ୍ରେ 

ଦେଖିଲେ ଯାଇ ହାଣ୍ଡିରୁ କ୍ଷୀର କାଢ଼ିବାକୁ ।୧୦।


ଦାମୋଦର ମହାପାତ୍ରେ ନରମ ଛେନାଗୁଳା ଗୁଡ଼ିକୁ 

ବାହାର କରି ଥାଳିରେ ଥୋଇଲେ

ଭାବିଲେ ମିଷ୍ଟକରେ ପରିଣତ ହେବ ନବାତ ପାଣିରେ 

ଗୁଳା ଗୁଡ଼ିକ ସିଦ୍ଧ କରି ଦେଲେ ।୧୧।


ଛାମୁଙ୍କ ମଣୋହି ସକାଶେ ଏକ ରାଜଭୋଗ ମିଷ୍ଟକ  

ମୁଁ ପ୍ରସ୍ତୁତ କରିଛି ରାଜାଙ୍କୁ କହିଲେ

ସେବାୟତର ଶ୍ରମ ସାର୍ଥକ ହୁଅନ୍ତା ଯଦି ସେ ମିଷ୍ଟକ

ମଣିମାଙ୍କର ପସନ୍ଦ ହେଲେ ।୧୨।


ତହୁଁ ଚଖା-କରଣଙ୍କୁ ତଲବ ହେଲା, ସେ ଆସି 

ଗୋଟିଏ ମିଠା ଚାଖିଲେ

ତା'ର ସ୍ଵାଦ ଅନୁପମ, ବିରଳ ବୋଲି ଚଖା-କରଣ

ତାଙ୍କର ମତ ପ୍ରଦାନ କଲେ ।୧୩।


ଗଜପତି ସିଂହାସନରେ ବସି ସିରାଗୋଳାରୁ ଏକ 

ଛେନାଗୁଳା ପାଟିକୁ ପକେଇ ଦେଲେ

ରାଜା ଆଶ୍ଚର୍ଯ୍ୟରେ ମହାପାତ୍ରେ ଏ ପଦାର୍ଥର ନାଁ 

କ'ଣ ବୋଲି ପଚାରିଲେ ।୧୪।

    

ଛେନାଗୋଲା କରି କ୍ଷୀରରେ ସିଝେଇଥିଲା ରସବତୀ 

ନାଁଟି ପଶି ଆସିଲା ମୁହଁକୁ

ହଡ଼ବଡ଼େଇ ଗଲେ ଦାମୋଦର ମହାପାତ୍ର, ସଂଗେ 

ସଂଗେ "ରସଗୋଲା" ନାମଟିକୁ ।୧୫।

 

ରାଜା କହିଲେ, "ଠିକ୍ ଅଛି ମହାପାତ୍ରେ, ଆମ୍ଭ ମଣୋହି 

ସକାଶେ ଏଣିକି ଏ ମିଠା ପ୍ରସ୍ତୁତ କରାଯିବ" 

ରାତିରେ ରାଜାଂକୁ ସ୍ୱପ୍ନରେ କହିଲେ ଲକ୍ଷ୍ମୀ ଠାକୁରାଣୀ 

ରସଗୋଲା ପ୍ରଥମେ ତାଂକୁ ଅର୍ପଣ ହେବ ।୧୬।


ସେଇଦିନୁ ରସଗୋଲା ଭୋଗ ହେଉଛି ନୀଳାଦ୍ରି 

ବିଜେ ବେଳେ ଲକ୍ଷ୍ମୀଙ୍କ ଠାରେ

ସମସ୍ତେ ଜାଣନ୍ତି ମହା ଆନନ୍ଦ ମହାଲକ୍ଷ୍ମୀଙ୍କର 

ଏହି ରସଗୋଲାରେ  ।୧୭।

    

ଦାମୋଦର ମହାପାତ୍ରଙ୍କ ନାତୁଣି ରସବତୀ 

ନାଁ କେବେଠୁ ହଜି ଗଲାଣି 

ହେଲେ ରସଗୋଲା ଅଛି ଓ ରହିଥିବ ଯୁଗ 

ଯୁଗ ଧରି, ସମସ୍ତେ ଅଛେ ଜାଣି ।୧୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract