ଝିଟିପିଟିଟିଏ ମୁଁ
ଝିଟିପିଟିଟିଏ ମୁଁ
ମଶା, ମାଛି ଆଦି କୀଟପତଙ୍ଗଙ୍କୁ
ଖାଇଥାଏ ଘରୁ ତୁମ
ରୋଗର ଦାଉରୁ ରକ୍ଷା ପାଅ ଯେତେ
କହିଲେ ନ ସରେ କାମ l
ପ୍ରାକୃତିକ କୀଟନାଶକ ଜୀବ ଯେ
କମାଇଦିଏ ବିପଦ
ନ ଥିଲେ ମୁଁ ଘରେ ଭାବିଛ କି ଥରେ
ଗଣୁ ଥାଆନ୍ତ ପ୍ରମାଦ l
କୃଷି କ୍ଷେତ୍ରରେ ବି ଖାଇ ପୋକଜୋକ
କରେ ଫସଲକୁ ରକ୍ଷା
କୀଟନାଶକ ବି ନ ହୁଅଇ ଲୋଡ଼ା
ପାଇନାହଁ ଏହି ଶିକ୍ଷା?
କେତେକ ଦେଶରେ ଖାଦ୍ୟ ରୂପେ ମୋତେ
ବ୍ୟବହାର କରି ଖୁସି
ବୈଜ୍ଞାନିକ ଗବେଷଣାରେ ଲାଗେ ମୁଁ
କହଇ ଏ କଥା ହସି l
ଜାତି ଭାଇ ମୋର ପରିସଂସ୍ଥାର ବି
କରିଥାନ୍ତି ଉପକାର
ଖାଦ୍ୟ ଶୃଙ୍ଖଳରେ ନେଇଥାନ୍ତି ଭାଗ
ପକ୍ଷୀ, ସାପଙ୍କ ଆହାର l
ବହୁରୂପୀ ଦେଖି ହୋଇଥାଅ ଖୁସି
ରଖ ଚିଡିଆଖାନାରେ
ଅର୍ଥ ଉପାର୍ଜନ ମାଧ୍ୟମ ସେ ପରା
ବିଚାର କର ମନରେ l
ସରୀସୃପଟିଏ ନୁହେଁ ମୁଁ ବିଷାକ୍ତ
ବଦଳାଇ ଥାଏ ରଙ୍ଗ
ରହି ଘରେ ତୁମ ନଷ୍ଟ କରେ ଯେତେ
ଅନିଷ୍ଟକାରୀ ପତଙ୍ଗ l
କେତେବେଳେ ମୋତେ ଶୁଭ ବୋଲି ଭାବ
କେବେ ପୁଣି ମୁହିଁ କାଳ
ଯଦି ଖସିପଡ଼େ ଉପରେ ତୁମର
ହୁଅ ବିରକ୍ତ ପ୍ରବଳ l
ଡାହାଣ କାନ୍ଧରେ ପଡିଲେ ସୌଭାଗ୍ୟ
ବୋଲି ତୁମେ ଯାଅ କହି
ଯଦି ଖସିଲି ମୁଁ ବାମ କାନ୍ଧେ ତୁମ
ଦୁର୍ଭାଗ୍ୟ କାରଣ ମୁହିଁ l
ଦୁର୍ଭାଗ୍ୟ, ସୌଭାଗ୍ୟ ନାହିଁ ମୋ ହାତରେ
ନୁହଇଁ ଶତ୍ରୁ କି ସଖା
ନିଜ ହାତ ପରା ଜଗନ୍ନାଥ ବୋଲି
ପୋଥି ପୁରାଣରେ ଲେଖା l
ଖସିଗଲେ ଲାଞ୍ଜ ହୁଏ ନୂଆଟିଏ
ସେଥିପାଇଁ ମୁଁ ଆଶ୍ୱସ୍ତ
ଶିକାରୀ ପ୍ରାଣୀକୁ ଦେଇ ଦିଏ ଧୋକା
ହୁଅଇ ସେ ଅସ୍ତବ୍ୟସ୍ତ l
ବଞ୍ଚିବା,ବଞ୍ଚାଇ ରଖିବା ଜୀବନ
ନୁହେଁ କେବେ ଅପରାଧ
ଝିଟିପିଟି ବୋଲି ନାହିଁ ଦୁଃଖ ତିଳେ
ମନେ ବିଶ୍ୱାସ ଅଗାଧ l
ଛୋଟ ହେଲେ ବି ମୁଁ ଅତି ଆବଶ୍ୟକ
ଦିଏନା କେବେ ତ ବ୍ୟଥା
ନ ମଣିବ ହୀନ ହେ ମଣିଷ ଭାଇ!
ଏ କଥା ନୁହେଁ ଅନ୍ୟଥା l
