କିଏ କଣ କୁହେ...
କିଏ କଣ କୁହେ...
ଅଳୀକ ସଂସାର କ୍ଷଣିକ ସମୟ
ମୃତ୍ୟୁ ସତ୍ୟ ଚିରନ୍ତନ
ଦୁନିଆ ଦୁଆରେ ବଞ୍ଚିବାକୁ ହେଲେ
କିଛି କଥା ତୁମେ ମାନ ।
ଘଡି ଚାଲୁଥାଏ ଟିକ୍ ଟିକ୍ କରି
କରେନି କେବେ ଅପେକ୍ଷା
କର୍ମ କରିବାରେ ଅପେକ୍ଷା କରନି
ଦେଇଯାଏ ଏହି ଶିକ୍ଷା ।
ସମୁଦ୍ରରେ ଥାଏ ଏତେ ବିଶାଳତା
କେତେ ପ୍ରାଣୀ ସେ ବଞ୍ଚାଏ
ତଥାପି ସଦା ସେ ନିର୍ବିକାର ଥାଏ
ଦୁଃଖ କାହାକୁ ନ ଦିଏ ।
ପିମ୍ପୁଡି ହେଲେ ବି ଛୋଟିଆ ଜୀବଟେ
କର୍ମ କରେ ନିରନ୍ତର
ପରିଶ୍ରମ କରି ବିପଦ ବେଳକୁ
ସଞ୍ଚି ରଖଇ ଆହାର ।
ବୃକ୍ଷଟି ଆମକୁ ଶିକ୍ଷା ଦେଇଥାଏ
ପର ଉପକାରୀ ହୁଅ
ଅନ୍ୟର ହିତରେ ରୁହ ସବୁବେଳେ
ପୋଛ ଦୁଃଖୀ ଆଖି ଲୁହ ।
ପୃଥିବୀଟି କହେ ଯେତେ ଝଞ୍ଜା ଆସୁ
ସହନଶୀଳ ହୁଅ
ସବୁ ଦୁଃଖ କଷ୍ଟ ନିଜ ପଣତେ ପୋଛି
ମଣିଷକୁ ଭଲପାଅ ।
ସୂର୍ଯ୍ୟ କହିଯାନ୍ତି କାନରେ ଆମର
ନିରନ୍ତରତା ଜାରି ରଖ
ସମୟ ଜ୍ଞାନକୁ ପାଖରେ ରଖିଲେ
ପାଇବ ଅନେକ ସୁଖ ।
ଗୋଲାପଟି କହେ ମୋ ପରି ତୁମେ
ଅନ୍ୟ କାମେ ଲାଗିଯାଅ
ନିଜ ସୁଗନ୍ଧରେ ସୁଗନ୍ଧିତ କରି
ସଭିଙ୍କର ମନ ମୋହୁଥାଅ ।
ଦୀପଟିଏ କହେ ମୋ ପରି ବନ୍ଧୁ
ନିରନ୍ତର ଜଳି ଚାଲ
ତୁମ ଆଲୋକରେ ଆଲୋକିତ କର
ଆଉ କାହା ଅନ୍ଧାର ଘର ।
କୁକୁରଟି କହେ ହେ ମାନବ ଜାତି
ମୋ ପରି ବିଶ୍ୱାସୀ ହୁଅ
ଯେଉଁଠାରୁ ତୁମେ ଆଦର ପାଉଛ
ତାକୁ କେବେ ଧୋକା ନ ଦିଅ ।
କୋଇଲିଟି କହେ ମୋ ପରି ତୁମେ
ମିଠା ସୁରେ ଗୀତ ଗାଅ
ସେ ମିଠା ସୁରରେ ମନଟିକୁ ଜିଣି
ହୃଦୟରେ ସ୍ଥାନ ପାଅ ।
କାଉଟା ସର୍ବଦା କହିଯାଏ କାନେ
ମୋ ପରି ଚତୁର ହୁଅ
ଯେତେ ବି ବିପଦ ଆସିଲେ ତୁମର
ବୁଦ୍ଧି ବଳେ ଜିତୁ ଥାଅ ।