ଆମ ଉତ୍କଳ
ଆମ ଉତ୍କଳ


ଚାରୁ ବିମଣ୍ଡିତ ଚନ୍ଦନ ଚର୍ଚ୍ଚିତ
ନନ୍ଦନ ବନ ଯା କୋଳ,
ତା ପାଣି ପବନେ ଗଢା ଯେ ଆୟୁଷ
ପୂଣ୍ୟଭୂମି ମୋ ଉତ୍କଳ ।
ଉତ୍କର୍ଷ କଳାର ଉତ୍ତରୀୟ ବେଶେ
କୋଟି ଲାବଣ୍ୟ ସେ ଦିଶେ,
ଧୂରୀଣ ଧରମା ତ୍ୟାଗ ବଳିଦାନେ
କୋଣାରକ ଏଠି ହସେ ।
ବାଜିଆ କଣ୍ଠରୁ ଶୁଭିଥିଲା ଦିନେ
ଅଟଳ ବୀରତ୍ୱ କଥା,
ବାଳୁତ ହେଲେବି ବହ୍ନି ଜାଳି ଥିଲା
ନୁଆଇଁ ନଥିଲା ମଥା ।
କେତେ କେତେ କବି ଲେଖନୀ ସ୍ୟାହିରେ
ଆଙ୍କିଗଲେ ତୋର ଛବି,
ଯୁଗ ଯୁଗ ଲାଗି ଜ୍ୟୋତି ବିତରିଲେ
ତୋ ମାଟିର ଶିର ଟେକି ।
ଗାଆଁ ମାଟି କଥା ଅମୂଲ୍ୟ ମମତା
ଆଙ୍କିଲେ ସଚ୍ଚିଦାନଂଦ,
ତୋ ମାଟିର ଗାଥା ଛୋଟ ମୋର ଗାଁଟି
ଆହା କେଡେ ମିଠା ଛନ୍ଦ ।
କେତେ ମନୀଷୀଙ୍କ କଠୋର ଉଦ୍ୟମେ
ଫୁଟିଲା ତୋ ଓଠେ ହସ,
ମାଟି ଆଉ ଭାଷା ମୁକତି ପାଇଁ କି
ରଖିଗଲେ କାଳଯଶ ।
<
p> କେ ଭୁଲି ପାରିବ ମଧୁସୂଦନଙ୍କ
ଭାଷା ଜାତି ସ୍ୱାଭିମାନ,
ସଙ୍ଗେ ଗଙ୍ଗାଧର ଗୋପବନ୍ଧୁ ଦାସ
ପୁରୋଧା ଫକୀର ମୋହନ ।
ତୋ ପୂଣ୍ୟ ମାଟିରେ ଜଗା ଉଭା ବୋଲି
ଜଗତରେ ତୋର ନାମ,
ତେଣୁ ମାଟି ତୋର ଉତ୍ସବମୁଖର
ମେଳେ ଏଠି ଭକ୍ତଜନ ।
ତୋ ମାଟି ପରବ ରଜ ରଥଯାତ୍ରା
ପଣାସଂକରାନ୍ତି ଦୋଳ,
ନିଆରା ସଂସ୍କୃତି ନିତି ଯୋଡ଼େ ଏଠି
ହୋଇଣ ସହନଶୀଳ ।
କେତେ ନଦ ନଦୀ କାୟା ବିସ୍ତାରିଛି
ପୂଣ୍ୟ ପ୍ରାଣ ପ୍ରବାହରେ,
ବୈତରଣୀ ଗଙ୍ଗା ଯମୁନା ବକ୍ଷରେ
ବୁଡ ଦେଲେ ପାପ ହରେ ।
ତୋ କୋଳେ ପାହାଡ଼ ପରବତ ଧାଡ଼ି
ନଭଶ୍ଚୁମ୍ବୀ ଅଟ୍ଟାଳିକା,
ତେଣୁ ତୋ ପଣତ ଅକ୍ଷତ ଜଗତେ
ଅକ୍ଷୁର୍ଣ୍ଣ ସେ ସୀମାରେଖା ।
ହେ ଉତ୍କଳ ମାତା ତୋର ପୁଣ୍ଯ ଗାଥା
ଚିରକାଳ ଗାଉଥିବି,
କାୟମନୋବାକ୍ଯେ ପ୍ରତି ରକ୍ତ ବିନ୍ଦୁ
ତୋ ଚରଣେ ଢାଳୁଥିବି ।