ବରଷା ରାଣୀ
ବରଷା ରାଣୀ


ବାର ମାସ, ଛଅ ଋତୁ, ତିନି କାଳ
ନେଇ ହୁଅଇ ବରଷ ।
ଏକକୁ ଆରେକ ଯୋଡି ହୋଇ ଦେଖ
ରଚନ୍ତି ଶିକୁଲି ଫାଶ ।
ବର୍ଷା ଆଗମନ ପଥକୁ ସୁଗମ
କରଇ ନିଦ୍ଧାଘ ଗ୍ରୀଷ୍ମ ।
ଉତ୍ତପ୍ତ କିରଣେ ଶୋଷି ନେଇ ପାଣି
କରାଏ ମେଘର ଜନ୍ମ ।
ବର୍ଷାଋତୁ ନାମେ ପରିଚିତ ଦୁଇ
ମାସ, ଆଷାଢ଼ ଶ୍ରାବଣ ।
ନୀଳାକାଶେ ଘୋଟି ଆସେ କଳା ମେଘ
ପାଣି ବର୍ଷେ ଘନ ଘନ ।
କାଳିଆ କସରା ବଳଦକୁ ଯୋଚି
ଠେକା ମାରି ଚାଷୀ ଭାଇ ।
ମନ ଆନନ୍ଦରେ ଜମିକୁ ଚଷଇ
ଭଞ୍ଜ ଗୀତ ଗାଇ ଗାଇ ।
କଳା ହାଣ୍ଡି ପରି ଖଣ୍ଡ ଖଣ୍ଡ ମେଘ
ଭାସି ଆସେ ଆକାଶରେ ।
ଜଗନ୍ନାଥ ମୟ ଦେଖଇ ଭକତ
ଏହି ମେଘମାଳ ଠାରେ ।
ସକଳ ବ୍ରହ୍ମାଣ୍ଡ ଦିଶେ ଶିବ ମୟ
କରନ୍ତି ତାଣ୍ଡବ ନୃତ୍ୟ ।
ଅମୃତର ଧାର ପଡେ ଝର ଝର
ଚାଷୀଙ୍କ ମନ ଉସତ ।
ଦିନମଣୀଙ୍କର ଲୋହିତ କିରଣ
ପଡଇ ପଶ୍ଚିମାକାଶେ ।
ଅର୍ଦ୍ଧାଙ୍ଗ ଈଶ୍ୱର ଅର୍ଦ୍ଧାଙ୍ଗ ପାର୍ବତୀ
ପରି ମେଘମାଳା ଦିଶେ ।
ଆଷାଢ଼ ମାସର ରଜ ସଙ୍କରାନ୍ତି
ଓଡ଼ିଆଙ୍କ ପରମ୍ପରା ।
ରଜ ଦୋଳି ସାଥେ ପିଠାପଣା, କ୍ଷୀରି
ରଜ ପାନଟି ନିଆରା ।
ବିଶ୍ୱ ଦରବାରେ ଖ୍ୟାତି ଲଭିଅଛି
ଶ୍ରୀକ୍ଷେତ୍ର ରଥ ଯାତରା ।
ବଡଦାଣ୍ଡ ଠାରେ କାଳିଆ ଦର୍ଶନ
କରନ୍ତି ଜଗତ ସାରା ।
ମାଉସୀ ମନ୍ଦିରୁ ଆଷାଢ଼ ମାସର
ଶୁକ୍ଳ ଦଶମୀ ତିଥିରେ ।
ପ୍ରଭୁ ଜଗନ୍ନାଥ ବାହୁଡ଼ି ଆସନ୍ତି
ଭାଇ ଭଗିନି ମେଳରେ ।
ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ
ଗୁରୁଙ୍କ ହୁଏ ପୂଜନ ।
ମହାଭାରତ ର ପୂଣ୍ୟ ରଚୟିତା
ବ
୍ୟାସଦେବଙ୍କର ଜନ୍ମ ।
ଶ୍ରାବଣ ମାସର ଝଡି ବରଷାରେ
କାଉଡିଆ ଭାର ବୋହି ।
ଶିବଙ୍କ ଭକ୍ତିରେ ଆଗେଇ ଚାଳନ୍ତି
ବୋଲ ବମ କହି କହି ।
ଗହ୍ମା ପୂର୍ଣ୍ଣିମାରେ ଭାଇକୁ ଭଉଣୀ
ବାନ୍ଧଇ ରେଶମ ଡୋରି ।
ଅଛିଣ୍ଡା ଏ ଡୋରି ସ୍ନେହ ମମତାର
କୃଷ୍ଣ ଦ୍ରୋପଦୀଙ୍କ ପରି ।
ଉତ୍କଳ ମାଟିର ଗଣପର୍ବ ଅଟେ
ଚିତାଲାଗି ଅମାବାସ୍ୟା ।
ସଶ୍ୟ ସମ୍ପଦରେ ପରିପୂର୍ଣ ହେବ
ଚାଷୀ କରିଥାଏ ଆଶା ।
ଚମ୍ପା, କନିଅର, କରାଟ, ତରାଟ
ହରଗୌରା ଯେ ଅରଖ ।
ନା ନା ଜାତି ଫୁଲ ଫୁଟି ସୁଗନ୍ଧଇ
ଏ ଧରାପୃଷ୍ଠରେ ଦେଖ ।
ଭେଣ୍ଡି, ବାଇଗଣ ପୋଟଳ କରଲା
କାଙ୍କଣ କଖାରୁ କଷି ।
ତରକାରୀ ରାନ୍ଧେ ଆମ ଗୃହମଣୀ
ରୋଷେଇ ଘରରେ ବସି ।
କଳାମେଘ ଘୋଟି ବିଜୁଳି ମାରଇ
ଶୁଭେ ଘଡଘଡି ସ୍ଵନ ।
ମୁଷଳ ଧାରାରେ ପାଣି ବରଷଇ
ପୂରେ ନଈ ନାଳ ବଣ ।
ଖରତର ହୋଇ ବୋହି ଯାଏ ନଈ
ଫୁଲାଇ ତାହାରି କାୟା ।
କୂଳ ଯାଏ ଖାଇ ଦ୍ରୁମ ନିଏ ବୋହି
ରଚଇ ଭଉଁରୀ ମାୟା ।
କାଗଜରେ ଡ଼ଙ୍ଗା କୁନା ତିଆରଇ
ଖାତାରୁ କାଗଜ ଚିରି ।
ଘର ଅଗଣାର ସୁଅରେ ଭସାଏ
ଡ଼ଙ୍ଗା ଯାଏ ଥିରି ଥିରି ।
ବରଷା ଆସଇ ଏ ଧରା ପୃଷ୍ଠକୁ
ସାତ ରଙ୍ଗ ଧନୁ ଧରି ।
ନାଲି ଟୁକୁ ଟୁକୁ ସାଧବ ବୋହୂଟି
ଚାଲୁଥାଏ ଥିରି ଥିରି ।
କୋଇଲି ଗାଅଇ ମୟୁର ନାଚଇ
ବେଙ୍ଗ ଦିଏ ହୁଳହୁଳି ।
ଥମିଯାଅ ବର୍ଷା ଆହାର ଆଣିବି
ବାଇ କରୁଥାଏ ଅଳି ।
ଜଗତ କଲ୍ୟାଣ ବର୍ଷାର କାରଣ
ତାର ବିନା ଆନ ନାହିଁ ।
ଜଳବିନା ନାଶ ହୋଇଯିବ ସୃଷ୍ଟି
ହୀନ ଅନଙ୍ଗ ଭଣଇ ।