ଭୋକର ସ୍ୱରୂପ
ଭୋକର ସ୍ୱରୂପ
ଭୋକର ବିଚିତ୍ର ସ୍ୱରୂପ,
ସଭିଁଙ୍କୁ କରଇ ଆୟତ୍ତ l
ବର୍ତ୍ତୀ ନ ପାରନ୍ତି ତାଠାରୁ,
ଦୁବ ହେଉ ଅବା ସେ ଦାରୁ l
ରାଜା ହେଉ ଅବା ପରଜା,
ଭୋକ ଦିଏ ସଭିଁଙ୍କୁ ସଜା l
ଚିହ୍ନେ ନାହିଁ ଧନୀ ଗରୀବ,
ସଭିଙ୍କ ସଙ୍ଗେ ରଖେ ଭାବ l
ଧରାରେ ଯେ ଜନମ ନିଏ,
ଭୋକର ଥାପୁଡ଼ା ସେ ଖାଏ l
ନର ହେଉ ବା ନାରାୟଣ,
ଭୋକଯେ ଦେଇଛି କଷଣ l
ଭୋକରେ ରାମ ବଳରାମ,
ପ୍ରମାଣ ସେ ଲକ୍ଷ୍ମୀ ପୁରାଣ l
ଭୋକ ରଖଇ ସମଭାବ,
ତା ଠାରୁ ଏକଥା ଶିଖିବ l
ଭୋକରେ ଭୁଲଇ ଆତ୍ମାକୁ,
କି ଖାଦ୍ୟ ଦରକାର ତାକୁ?
ଜାଣି ନପାରଇ ମଣିଷ,
ତେଣୁ ସେ ହୁଅଇ ହତାଶ l
ଭୋକର ରୂପରେଖ ନାହିଁ,
ଶରୀରୁ ଆତ୍ମାକୁ ଭେଦଇ l
ଭୋକର ଭୂଗୋଳ ବ୍ରହ୍ମାଣ୍ଡ,
ପୁରି ରହିଛି ଏହି ପିଣ୍ଡ l
ଭୋକରେ ଆମ ଆତ୍ମା ଜାଣ,
ପାଉଛି ଅନେକ କଷଣ l
ଆତ୍ମାଯେ ହୋଇଲା ଦୁର୍ବଳ,
ସଂସାରେ ବଢିଲା କନ୍ଦଳ l
ଯେତେକ ମାନବୀୟ ଗୁଣ
ଶରୀର ନକରେ ଧାରଣ l
ସେଗୁଣ ଅଭାବେ ସଂସାର,
ଦେଖ ହୁଅଇ ଛାରଖାର l
ଆତ୍ମାକୁ ଆସ ଖାଦ୍ୟ ଦେବା,
ଘୃଣାଠୁଁ ଦୁରେଇ ରହିବା l
ଆତ୍ମା ଓ ଶରୀର ଭୋକକୁ,
ଦୂରେଇ,ବାଣ୍ଟିବା ପ୍ରେମକୁ l
ଏକ ଯେ ଆରେକର ବିନା,
ଅଟନ୍ତି ଦୁହେଁ ଶୂନ ଶୁନା l
ଦୁହିଁଙ୍କୁ କରିବା ଯତନ,
ପାଇବା ଅମୂଲ୍ୟ ରତନ l
ଜଗତ ହେବ ସୁଖମୟ,
ନଥିବ କାହାରିକୁ ଭୟ l
ଆତ୍ମାକୁ ଭୁଞ୍ଜାଇ ଭୁଞ୍ଜିଲେ,
କ୍ଷୀଣ ନୋହିବ ତନୁ ଭଲେ l
ଆତ୍ମା ଭୁଞ୍ଜିଲେ ସୁଖ ପାଇ,
ସନ୍ତୋଷ ହୁଏ ଆମ ଦେହୀ l
ଭୋକର ଭୂଗୋଳ ବିଚାର,
ଭଣଇ ଅନଙ୍ଗ କୁମାର l
ଦୋଷ କରିବ ବାରେ କ୍ଷମା,
ନକରି କବିତା ତର୍ଜମା l