ମଣିଷ ମୁଁ ( ଭାଗ -୬ )
ମଣିଷ ମୁଁ ( ଭାଗ -୬ )
ଜୀବଙ୍କ ମଧ୍ୟରେ ମଣିଷ ମୁହିଁ,
ଏ ସବୁ ସଂସାର ମୋହରି ପାଇଁ l
ଭଗବାନଙ୍କର ଏହି ଉପହାର,
ଭୋଗିବାକୁ ଅଛି ମୋ ଅଧିକାର l
ସଂସାର ସୁଖକୁ ଭୋଗିବା ପାଇଁ,
ହୋଇଛି ଜନମ ମୋହର ଭାଇ l
ମଦ ମାଂସ ସାଥେ ଯୁବା ଯୁବତୀ,
ଜୁଆ ଖେଳି ସୁଖ ଭୋଗିବି ନିତି l
ଅଛି ମୋ ପାଖରେ ଧନ ସଂମ୍ପତ୍ତି,
ସୁଖ ଭୋଗିବାକୁ ଅଛି ଶକତି l
ଦାମୀ ପୋଷାକ କରେ ପରିଧାନ,
ସମାଜରେ ପାଇବାକୁ ସମ୍ମାନ l
ସୁଖରେ ଚଳୁଛି ମୋର ସଂସାର,
ଅନ୍ୟର କରିବି କିମ୍ପା ବିଚାର l
ମୁଣ୍ଡର ଝାଳ ତୁଣ୍ଡରେ ମାରି,
ମୋ ପଡୋଶୀ କରେ ନିତି ମଜୁରୀ l
ନିତି ମାଉସ, ମୋ କୁକୁର ଖାଏ,
ଉପାସରେ ମୋର ପଡୋଶୀ ଶୁଏ l
ମୁଣ୍ଡ ଗୁଞ୍ଜିବାକୁ ନାହିଁ କୁଡ଼ିଆ,
ତା ପାଖେ ମୋ କୋଠା ହୋଇଛି ଠିଆ l
ମୋ ପଡୋଶୀ ଶୁଏ ଭୂମି ଉପରେ,
ମୁଁ ଶୋଉଅଛି ଗଜ ପଲଙ୍କରେ l
ଶହେ ଜାମା ଖାତା ଅଛି ବ୍ୟାଙ୍କରେ,
ଭିକାରି ଫେରଇ ଖାଲି ହାତରେ l
ଅସୁବିଧା କିଛି ନାହିଁ ତ ମୋର,
କାହିଁକି କରିବି ପରୋପକାର l
ସମାଜେ ପ୍ରଶଂସା ହୁଅଇ ମୋର,
ମାଲିକ ମୁଁ ସଭିଏଁ ମୋ ଚାକର l
ସଭିଙ୍କଠୁଁ ଶ୍ରେଷ୍ଠ ଅଟଇ ମୁହିଁ,
ସମାଜେ ସ୍ୱତନ୍ତ୍ର ସ୍ଥାନ ଅଛଇ l
କାହିଁକି କରିବି ମୁଁ ଜପତପ,
ଏ ଜୀବନେ କିଛି କରିନି ପାପ l
ସୁଖରେ କଟଇ ଦିନ ମୋହର,
ଖୁସିରେ ଚାଲିଛି ମୋ ପରିବାର l
ମୋର ପ୍ରତିମୂର୍ତ୍ତି ହୁଅଇ ପୂଜା,
ମୋ ନାମେ ଉଡ଼ଇ ବିଜୟ ଧ୍ୱଜା l
କିଛିତ ଅଭାବ ନାହିଁ ମୋହର,
କାହିଁକି ପୂଜିବି ଶିବ ଶଙ୍କର l
କହିଲେ କହନ୍ତୁ କଥା ହଜାର,
ମୁଁ ଭଲ ଆଉ ସବୁ ବେକାର l
