ମଣିଷ ମୁଁ
ମଣିଷ ମୁଁ
ଜୀବ ମଧ୍ୟରେ ଶ୍ରେଷ୍ଠ ବୋଲାଇ,
ସବୁଠୁ ଅଧମ କର୍ମ କରଇ l
ପ୍ରଭୁ ଦିବ୍ୟଜ୍ଞାନ ଅଛି ମୋ ଠାରେ,
ତଥାପି ଚାଳଇ ମୁଁ ଅନ୍ଧକାରେ l
ବନ୍ଦ କରିଦେଇ ଜ୍ଞାନ କବାଟ,
ଅବାଟକୁ ଭାବେ ସଠିକ ବାଟ l
ପ୍ରଭୁ ଦେଇଛନ୍ତି ବିଧି ବିଧାନ,
ମଣିଷ ବୋଲି ମୁଁ କରେ ଅମାନ୍ୟ l
ଅଖାଦ୍ୟକୁ ସୁଖ ଖାଦ୍ୟ ମଣଇ,
ଅକର୍ମକୁ ଶ୍ରେଷ୍ଠ କର୍ମ ଭାବଇ
ଅନ୍ୟାୟ ଭାବରେ କରେ ଶାସନ,
ନିଜକୁ ଭାବଇ ମୁଁ ଭଗବାନ l
ନିତି ଦିନ ମୁହିଁ ଗାଅଇ ଗୀତା,
ନିତି ଆଚରଇ ମୁହିଁ ଶଠତା l
ଉପକାର ନାମେ ସ୍ୱାର୍ଥ ସାଧଇ,
ମାଗଣା ପାଇଲେ ବିଷ ପିଅଇ l
ପର ପତ୍ନୀ କୁ ଲାଗେ ସୁନ୍ଦର,
ତା ସାଥେ ରଚାଏ ପ୍ରେମର ଘର l
ଉପରେ ହସିକି କଥା କହଇ,
ଷଡଯନ୍ତ୍ର ଜାଲ ମୁହିଁ ବୁଣଇ l
ପିଇଦେଇ ପେଟ ପୁରାଇ ମଦ,
କହିଥାଏ ମୁଇଁ ବେଦର ଭେଦ l
ମଦ ନ ପିଇଲେ ମୁହିଁ ଅଜ୍ଞାନ,
ମଦ ପିଇଦେଲେ ବଢେ ମୋ ଜ୍ଞାନ l
ଅନ୍ୟ କଥା କାଟି କହେ ମୁଁ କଥା,
ତଥାପି ଭାବେ ମୁଁ ନିରବଦ୍ରଷ୍ଟା l
ତିଆରି କରେ ମୁଁ ନୀତିନିୟମ,
କରେ ନାହିଁ ତାକୁ କେବେ ପାଳନ l
ସିନ୍ଦୂର ନାମରେ ବିନ୍ଦି ନାଅଇ,
ପର ପୁରୁଷର ପ୍ରେମୀ ସାଜଇ l
ବିଚାର କରିବ ହୃଦରେ ଥରେ,
ପ୍ରଭୂ ସୃଷ୍ଟି କଲେ କେଉଁ ଅର୍ଥରେ l
