ମଣିଷ ମୁଁ (ଭାଗ-୪)
ମଣିଷ ମୁଁ (ଭାଗ-୪)
ନିତିଦିନ ହୁଏ ମୁଁ ଲୋକହସା,
ତଥାପି କରେ ମୁଁ ନିଜ ପ୍ରଶଂସା l
ନାହିଁ ମୋ ପାଖରେ ବେଦର ଜ୍ଞାନ,
ସମାଜରେ ମୁହିଁ ଶ୍ରେଷ୍ଠ ବ୍ରାହ୍ମଣ l
ପୂଜାର ନାମରେ କରେ ଛଳନା,
ପାଇବାକୁ ମୁହିଁ ଭଲ ଦକ୍ଷିଣା l
ଅନ୍ୟାୟ ଅଟଇ ରାସ୍ତା ମୋହର,
ତଥାପି ଲୋକଙ୍କ କରେ ବିଚାର l
ବହୁରୂପୀ ଅଟେ ମୁହିଁ ମାନବ,
ମୋହରି ଭିତରେ ଅଛି ଦାନଵ l
ନିତି ଗାଉଅଛି ଲଷ୍ମୀ ପୁରାଣ,
ଜାତି ଅଜାତି କୁ କରେ ବାରଣ l
କଥା କହୁ ଥାଏ ମୁଁ ଭାର ଭାର,
କଥା ଠାରୁ କର୍ମ ଭିନ୍ନ ମୋହର l
ଦାସିଆ ବାଉରୀ କଥା ଶୁଣଇ,
ନୀଚ୍ଚ ଜାତିକୁ ମୁଁ ଘୃଣା କରଇ l
କଥା ଦେଇ ଥାଏ ମୁହିଁ ହଜାରେ,
ଜିଣିଗଲେ ଆଉ କିଏ ପଚାରେ l
ଦେହେ ବୋଳିଦେଇ ଚିତା ଚନ୍ଦନ,
ପର ସମ୍ପତ୍ତି ରେ ଥାଏ ମୋ ମନ l
ବିରାଡ଼ି ଭଳି ଆଖି ବୁଜି ଦେଇ,
ଅପକର୍ମ ସବୁ ମୁହିଁ କରଇ l
ଯାହାମୁଁ ଦିଶଇ ତାହା ନୁହଇ,
ଯାହା ନୁହଇ ତାହାମୁଁ ଦିଶଇ l
ନୀତି ଜ୍ଞାନ କେବେ ବୁଝିବି ନାହିଁ,
ଅପକର୍ମ କେବେ ଛାଡ଼ିବି ନାହିଁ l
ପଙ୍କ କୁ ଛାଡେନି ଯେହ୍ନେ ଶୂକରୀ,
ସର୍ବ ସୁଖ ଭାବି ରଖେ ଆବୋରି l
ଏମିଛ ସଂସାର ଭାବେ ମୋ ଘର,
ସର୍ବଦା ଖେଳଇ ଧୂଳିର ଘର l
ମରୀଚିକା ଠାରେ ପାଣି ଖୋଜଇ,
ମରୁଭୂମି ଠାରେ କୋଠା ତୋଳଇ l।