ଆପେ ନଇଁ ଯାଏ ମଥା
ଆପେ ନଇଁ ଯାଏ ମଥା
ସାହିତ୍ୟ ଆସର ଭାରି ନିଆରା,
ବଢିଥାଏ ଏଠି ସେ ଭାଇଚାରା l
ନିଜର ସୃଜନୀ କରିକି ପାଠ,
ସ୍ରଷ୍ଟା ହୋଇଥାଏ ଯେ ଆନନ୍ଦିତ l
ଲିଖନ ପଠନ ହୁଅଇ ବୃଦ୍ଧି,
ଲେଖାରେ ଲେଖକ ପାଅଇ ସିଦ୍ଧି l
ଚତୁରୀ ଅଟଇ ଘରଣୀ ମୋର ,
କବିତା ପଠନେ ଥାଏ ନଜର l
କବିତା ପଠନ କରିବାପାଇଁ,
ତରବର ସଦା ସିଏ ହୁଅଇ l
ଅଳପ ସମୟ ଯାଏ କି ନାହିଁ,
ପରିଚାଳକଙ୍କୁ ପଚାରେ ସେହି l
ନମ୍ବର ମୋହର ଆସି ଗଲାକି,
ଅବା ମୋର ନାମ ଛାଡ଼ି ଦେଲେକି l
ମତେ ଟିକେ ଆଗ ଡ଼ାକି ଦେବେକି,
ଏଇନେ କବିତା ପଢ଼ି ଦେବିକି l
ସୂଚନା ତୁମର ପାରିନି ଦେଖି,
ସେପରି କବିତା ପାରିନି ଲେଖି l
ଯାହା ଲେଖିଅଛି ଦେବିକି ପଢ଼ି,
ଦଉଡ଼ି ଆସିଛି ରୋଷେଇ ଛାଡ଼ି l
ସମୟ ପାଖରେ ନାହିଁ ମୋହର,
ପଢ଼ି ସାରିଦେଲେ କବିତା ମୋର l
ଆହୁରି ଗୋଟିଏ ସଭାକୁ ଯିବି,
ସେଠାରେ କବିତା ପାଠ କରିବି l
ମୋବାଇଲ ଚାର୍ଜ ଆସଇ ସରି,
ନୋହିଲେ ଯାଉଛି ମୁଁ ଅପସରି l
ଅନେକ ବାହାନା କରଇ ସିଏ,
କୁମ୍ଭୀର କାନ୍ଦଣା ଲାଗେ ପରାଏ l
କବିତାକୁ ପଢ଼ି ସାରିଲେ ତାର,
ଆସରରୁ ହୋଇ ଯାଏ ବାହାର l
ଚକାମାଡ଼ି ବସେ ଟିଭି ଆଗରେ
କମେଡି ଦେଖଇ ମନ ଖୁସିରେ l
ଆଈ ଠୁ ନାତୁଣୀ ଆଉ ଚାଲାକ,
ଅଜାକୁ କହନ୍ତି ଦେଖ ହେ ଦେଖ l
ଦୁର୍ଗୁଣର ଆମ ମଉଡମଣୀ,
ବାହାନାର ସିଏ ଅଟନ୍ତି ଖଣି l
ହୋଇଯାଅ ଆଈଲୋ ସଚେତନ,
ଜିଣିବାକୁ ହେଲେ ପାଠକ ମନ l
ଅନ୍ୟର କବିତା ଶୁଣ ଧ୍ୟାନରେ,
ପ୍ରଶଂସା କରିବ ଦୁଇ ଧାଡ଼ିରେ l
ସନମାନ ବଢ଼ିଯିବ ତୁମର,
ପ୍ରଶଂସା ପାଇବ ତୁମେ ଅପାର l
ସାଧାରଣ ତୁମେ ହୋଇବ ଯେବେ,
ଅସାଧାରଣ ଟି ପାଇବ ତେବେ l
ଆସର ଆରମ୍ଭୁ ଶେଷ ପର୍ଯ୍ୟନ୍ତ,
ଯୋଗଦେବ ଆଈ ତୁମେ ଯେମନ୍ତ l
ଏପରି ବ୍ୟବସ୍ଥା କରିବ ଯେବେ,
ଉତ୍ତମ ଲେଖକ ହୋଇବ ତେବେ l
ମନ୍ତ୍ରୀ ଯନ୍ତ୍ରୀ ଦଶ ଜାଗା ବୁଲନ୍ତି,
ତାଠାରୁ ଉର୍ଦ୍ଧରେ ଲେଖକ ଜାତି l
ଏଠି ସେଠି ଦଶ ଜାଗା ବୁଲିବ
ସମ୍ମାନ ତୁମର ହାନି ହୋଇବ l
ସମସ୍ତେ ଟାଣିବେ ଗୋଡ଼ ତୁମର,
ହୋଇ ପାରିବନି ତୁମେ କାହାର l
ଆଜିଠାରୁ ତୁମେ ଶପଥ ନିଅ,
ମୂଳରୁ ଶେଷ ଯାଏ ଯୋଗ ଦିଅ l
ଆଈ ଯେ ଶୁଣିଲା ନାତୁଣୀ କଥା,
ଲାଜେ ନଇଗଲା ତାଙ୍କରି ମଥା l
ଅନଙ୍ଗ ପଟେଲ, ସୁନ୍ଦରଗଡ଼
