ଚାଲ ଦେଖିବା ନୂତନ ସକାଳ
ଚାଲ ଦେଖିବା ନୂତନ ସକାଳ
ଜନ୍ମ ସମୟରେ ସରବେ ଜନମ ହୁଅ
ପରା ଗୋଟିଏ ସରଳ ରୂପରେ,
ସେତେବେଳେ ମୁଁ ହିନ୍ଦୁ କି ମୁସଲମାନ
ଭାବନା ଥିଲା କି ଚିନ୍ତାଧାରାରେ? ।୧।
ପ୍ରକୃତି ଦେଇଅଛି ଆଖି ଓ ଆଲୋକ ଆମକୁ
ମନର ଅନ୍ଧାର ଦୂର ପାଇଁ,
ଭିନ୍ନ ଭିନ୍ନ ପନ୍ଥା ବାଛୁଛେ କେବଳ ଆନ ଜୀବନ
ନୌକାକୁ ଚଳାଇବା ନେଇ ।୨।
ବୁଝିବା ଆଉ ବୁଝେଇବା, ସହିବା ଆଉ ଶୁଣିବା
ଶକ୍ତି ଯଦି ଆମର ଥାଇ
ଜୀବନ ଭିତରେ ମଣିଷର କେବଳ ତାହା ଦରକାର
ଖୁସିରେ ରହିବା ପାଇଁ ।୩।
ରହିଅଛି ମଣିଷର ମାନ ଅଭିମାନ, କିଛି ପାଇବା
ଶୋଷର ନାହିଁ ଅନ୍ତ
ପାଇବାର ନିଶାକୁ ନାଶ କଲେ, ଦିବ୍ୟତ୍ୱରେ ତ
ମିଳେ ଶୁଦ୍ଧ ମନୁଷ୍ୟତ୍ୱ ।୪।
ଦିବ୍ୟତା ଖୋଜିଲେ ମିଳେନା, ନଥାଏ କେବେ
ମନର ବିଛୁରିତ ଯାଦୁକାରୀ ଦୃଶ୍ୟେ
ଅକପଟ ହୃଦୟ, ସରଳ ବିଶ୍ୱାସର ଜ୍ୟୋତିପୁଞ୍ଜେ
ହୁଏ ଅନୁଭୂତି, ରହିଛି ଅପ୍ରକାଶ୍ୟେ ।୫।
ଉତ୍ତମ ବାଟରେ ପାଦ ଦେଇ ଚାଲିଲେ, ସହଜେ
ଆଗକୁ ଆଗକୁ ପାଦ ଯାଏ ବଢି
ମସୃଣ ରାସ୍ତାରେ ପାଦ ଦେଲେ, ରୁହେ ତ ଅସ୍ଥିର,
ମନ ଡର ଲାଗେ କାଳେ ଯିବ ପଡ଼ି ।୬।
ତୁମେ କିଛି କିଛି ଲୋକ କୁହ ନିଜକୁ ଗରବେ ହିନ୍ଦୁ
ଅବା ମୁସଲିମ ଧରମର,
ଇଶ୍ୱର ଯଦି ଏକ କୁଆଡେ ଯାଉଛି ତୁମର ଶକତି
ବୁଝିବା, ବୁଝେଇବାର ।୭।
ଧରମ ନାମରେ ଭାଗ ଭାଗ ହୋଇ, କାହିଁକି କଣ
ପାଇଁ କୁହ ଗରବ କର ?
ନିଜ ଧରମ ବଡ ଓ ମହାନ୍ ବୋଲି କହି, ହଣାହଣି
ହୁଅନି କି ପରସ୍ପର? ।୮।
ପ୍ରଳୟକାରୀ ଘୂର୍ଣ୍ଣି ଝଡ଼ ବେଳେ ଆକ୍ତା ମାକ୍ତା ହୁଅ,
ଧରମ କୁଆଡେ ଯାଏ
ଧରମ ନାମରେ ଭେଦ ଭାବ ଯେତେ, ସେତେ
ବେଳେ ତୁମର ରହି ନଥାଏ ।୯।
ଯେତେବେଳେ ଧରମ ନାମରେ ହଣା ମରା ହୋଇ
ଡାକ୍ତରଖାନାକୁ ଯାଇ ଥାଅ
ଦରକାର ପଡିଲେ, ଏ ହିନ୍ଦୁ କି ମୁସଲମାନ ରକତ
କଥା କିପରି ଭୁଲି ଯାଅ ।୧୦।
ଭୂଲି ଯାଇଛ କି ତୁମେ, ଆମ ଆରାଧ୍ୟ ଦେବତା କୃଷ୍ନ
ଙ୍କ ବଳରାମ ବଡ ଭାଇ,
ଭେଦ ଭାବକୁ ଚୂଲିକୁ ଫିଂଗିଲେ ପେଟର ଭୋକରେ
ଆଉଟ ପାଉଟୁ ହୋଇ ।୧୧।
ସରଳ ମନେ ଜନମ ହୋଇଥିଲେ ଆମେ ସରବେ
ଆମକୁ ଅଲଗା ଅଲଗା କଲା କିଏ ?
ସମାଜ, ପୁରୋହିତ, ମୂଲ୍ଲା, ଧର୍ମକୁ ନେଇ ରାଜନୀତି
କରିବା କ୍ଷମତା ଲିପ୍ସୁ ନେତା ଗଣ ଛଡା କିଏ ? ।୧୨।
ସମାଜରେ କିଛି ଲୋକ ଯଥା ପୁରୋହିତ, ମୂଲ୍ଲା,
ସେମାନଙ୍କ ଦକ୍ଷିଣା ନେଇଗଲେ
ନେତାଗଣ ଭୋଟ ନେଇ କ୍ଷମତା ଉପଭୋଗ କଲେ,
କିନ୍ତୁ ସାଧାରଣ ମଣିଷ ମାନେ କଣ ପାଇଲେ ? ।୧୩।
ରହିବା ପାଇଁ ଘର, ଦୁଇ ଓଳି ଦୁଇମୁଠା ଖାଇବା
କୁ ଦାନା ସପନ ହୋଇଲା
ମଣିଷ ପାଇଁ ଶିକ୍ଷା, ରୋଗ,ବ୍ୟାଧି ରୁ ମୁକ୍ତ ହେବା
ପାଇଁ ଚିକିତ୍ସା ମଧ୍ୟ ସପନେ ରହିଲା ।୧୪।
ଭେଦଭାବ ଭୁଲିଲେ ଆସନ୍ତା କାଲି ପ୍ରକୃତ ମଣିଷ
ଭାବେ ବଞ୍ଚିବାର ରାହା ପାଇଯିବା
ଭବିଷ୍ୟତ ପୃଥିବୀର ମଣିଷଙ୍କୁ ଏକ ଶାନ୍ତ, ସବୁଜ,
ସୁନ୍ଦର ପୃଥିବୀଟିଏ ଉପହାର ଦେବା ।୧୫।
ପ୍ରହସନ ସବୁ ଚାଲିଛି ମନ୍ଦିର ମସଜିଦ ନାମେ, ଲିଭିଛି
କି କୁହ ଅତ୍ୟାଚାର ଶୋଷଣର କ୍ଷତ
ଦରବୃଦ୍ଧି ପ୍ରସ୍ତର ଆଘାତରେ ସ୍ଥାଣୁ ଗରିବର ଶରୀର ତ
କ୍ଷତାକ୍ତ ଅବିଚଳିତ ।୧୬।
ପୁଂଜିପତି ହେବାର ନିଶାରେ ବିନ୍ଦୁ ବିନ୍ଦୁ ପରି ନଷ୍ଟ ହୁଏ
ସମସ୍ତ ଆବଦ୍ଧ ସମ୍ପର୍କ ସବୁ
ସତରେ, ମନ ମନ୍ଦିରରେ ସମ୍ପର୍କ ଗୁଡିକୁ କିଏ ଭାଙ୍ଗୁଅଛି
ଆମେ ତାହା କଅଣ ଭାବୁ ।୧୭।
କାମନାର ଆସକ୍ତି, ଦୁଃଖର କାରଣ, ତାର ବିନାଶରେ
ଆଣଇ ସରବ ସୁଖ ଓ ଶାନ୍ତି
କାତର ନହୋଇ ଧୈର୍ଯ୍ୟ ରଖିଲେ, ଅମୋଘ ଔଷଧି
ହୋଇ ଦୂର ହୁଏ ଅଶାନ୍ତି ।୧୮।
ହିଂସା, ଦ୍ୱେଷ, ସ୍ବାର୍ଥ ଯେତେ ଆବର୍ଜନା, ସେ ସବୁକୁ
ମନୁ କାଢ଼ି ଫିଙ୍ଗିବା ଦରକାର
ସ୍ନେହ, ପ୍ରେମ, ଶ୍ରଦ୍ଧା, ଓ ସୁନ୍ଦର ଚିନ୍ତାଧାରା ଗୁଡିକୁ ତ
ସାଇତିବା ଦରକାର ।୧୯।
ଅନ୍ଧାର ଆଲୁଅ ଭିତରେ ବନ୍ଧା ହୋଇଅଛେ ତ ଜାଣ
ଜୀବନଟା ଏକ ବାଜି
କୋଟି ରତ୍ନ ଥିଲେ କଅଣ ହେବ, ଜୁଇରେ ଜଳିବା ଶହ
ଶହ ସ୍ୱପ୍ନରାଶି ବି ଯିବ ଭାଜି ।୨୦।
ବିଶ୍ୱାସ ଯଦି ଅଛି, ପ୍ରଦୀପ ଜାଳିବା ଦରକାର ନାହିଁ
ସବୁ ଦିଶୁଅଛି ସର୍ବବିଦ୍ୟମାନ ଠାକୁରଙ୍କୁ
ହିଂସା, ଦ୍ୱେଷ, ଘୃଣା ଆଗ ଜାଳିବା ନିହାତି ଦରକାର
ଶୁଦ୍ଧ କରିବା ନିଜ ଅନ୍ତରକୁ ।୨୧।
ଭୋକ ମରି ଯାଏ ପେଟ ଭିତରେ, ରହିଅଛି ଦେଖ
ନିଷ୍ପେଷିତ ଗରିବ ଅପେକ୍ଷା କରି
ଦୁଃଖ ହୃଦୟ କୋଣରେ, ତଥାପି ଆଶା ତାର ରହେ
ନୂତନ ସକାଳ ଆସିବ ଫେରି ।୨୨।