ଦଶ ଇନ୍ଦ୍ରିୟଗଣ
ଦଶ ଇନ୍ଦ୍ରିୟଗଣ
ଦଶ ଇନ୍ଦ୍ରିୟଙ୍କୁ ସପନେ ଦେଖି
କାହ୍ନା ଉଠିପଡ଼ି ଖୋଲିଲା ଆଖି ।
ଭାବିଲା ବସିକି ତାଙ୍କରି କଥା
ମନରେ ପଶିଲା ଟିକିଏ ଚିନ୍ତା ।
ଦଶଟି ଇନ୍ଦ୍ରିୟ ହୋଇ ଏକାଠି
କହିଲେ ଆସିଣ କାହ୍ନାକୁ ଭେଟି ।
ଯାହା ଦ୍ବାରା ତୁହି କରୁଛୁ କାର୍ଯ୍ୟ
ତାଙ୍କୁ ତୁ ଜାଣିବା ଅପରିହାର୍ଯ୍ୟ ।
ଆମେ ସେହି ଦଶ ଇନ୍ଦ୍ରିୟଗଣ
ମନ ଦ୍ବାରା ପରିଚାଳିତ ଜାଣ ।
କହିଲା ଚକ୍ଷୁ ତା' ଆଖି ନଚାଇ
କେବଳ ଦୁନିଆ ଦେଖୁ ମୋ ପାଇଁ ।
ମୁଦି ଦେଲେ କିଛି ପାରୁ କି ଦେଖି ?
ସେଥିପାଇଁ ମୋର ଯତ୍ନ ନେଉ କି ?
ସକାଳରେ ଉଠି ଶୁଦ୍ଧ ଜଳରେ
ଲେଞ୍ଜରାକୁ କାଢ଼ି ଧୋଇବୁ ଧୀରେ ।
ମକଚିବୁ ନାହିଁ ମୋତେ ତୁ କେବେ
କିଛି ଅସୁବିଧା ହୋଇଲେ ତେବେ ।
ଚକ୍ଷୁ ଡାକ୍ତରଙ୍କ ପାଖକୁ ଯାଇ
ରୋଗର ଚିକିତ୍ସା କରିବୁ ତୁହି ।
ଠିଆ ହୋଇ କର୍ଣ୍ଣ ହଲାଇ କାନ
କହିଲା କାହ୍ନାରେ ମୋ କଥା ଶୁଣ ।
ମୋ ପାଇଁ ଶବଦ ପାରୁ ତୁ ବାରି
କଥା କହୁ କେବଳ ଶୁଣି ପାରି ।
ନ ଶୁଣି ପାରିଲେ ମୁକରେ ଗଣା
ବୋଲି ନପାରିଲେ ହୋଇବୁ ବଣା ।
କାଠି ପୂରାଇବୁ ନାହିଁ କାନରେ
ରକତ ଝରିବ ଫୁଟି ପର୍ଦ୍ଦାରେ ।
ତାହା ପରା ଏକ ନରମ ଝିଲ୍ଲୀ
ତୁଳା ଦ୍ବାରା ସଫା କରିବୁ ଖାଲି ।
ଦୀର୍ଘ ଶ୍ବାସ ଛାଡ଼ି ନାସିକା କହେ
ବାୟୁ ଯାଏ ଆସେ ମୋହର ଦେହେ ।
ସୁଗନ୍ଧ କୁଗନ୍ଧ ପାରଇ ବାରି
ମୁହଁ ଭିତରେ ମୁଁ ସୁନ୍ଦର ଭାରି ।
ଥଣ୍ଡା ରୋଗେ ନାକୁ ବହେ ସିଙ୍ଘାଣି
ପୋଛିପୋଛି କଷ୍ଟ କେତେ କେଜାଣି ।
ସଫା କପଡ଼ାରେ ନାକ ପୋଛିବୁ
ମୁହେଁ ହାତ ରଖି ଛିଙ୍କି ପାରିବୁ ।
ପୁଡାରେ ଆଙ୍ଗୁଠି ପୂରାଇବୁନି
ନଖ ବାଜି କ୍ଷତ ହୋଇବ ପୁଣି ।
ଲହଲହ କରି ଜିହ୍ବା କହଇ
ସୁଆଦ ବାରେ ମୁଁ ପାଟିରେ ଥାଇ ।
ଖଟା, ପିତା, କଷା, ଲୁଣିଆ, ରାଗ
ମିଠା ଆଦି ଗୁଣ ଜାଣଇ ଆଗ ।
ରିବିରିବି ଅଂଶ ମୋ ଅଗ୍ରେ ଥାଏ
ସ୍ବାଦମୁକୁଳମ୍ ତା' ବୋଲାଯାଏ ।
ଖାଦ୍ୟକୁ ଏପଟ ସେପଟ କରେ
କଥା କହିବାରେ ସାହାଯ୍ୟ କରେ ।
ଜିଭକୁ ନିଇତି ସଫା ରଖିବ
ତୁଣ୍ଡ ଘା' ରେ ଔଷଧ ଖାଇବ ।
ଲୋମ ଟାଙ୍କୁରାଇ ତ୍ବକ କହଇ
ଶରୀର ସୁନ୍ଦର ମୋହରି ପାଇଁ ।
ହାଡ଼ ମାଂସକୁ ରଖଇ ଢାଙ୍କି
କଳା ଗୋରା ରଙ୍ଗ ଥାଏଟି ମାଖି ।
ସ୍ପର୍ଶ ଶକ୍ତି ଅଛି ଯେଣୁ ମୋଠାରେ
ଟିକେ ଛୁଇଁ ଦେଲେ ମୁଁ ଜାଣି ପାରେ ।
ତ୍ବଚାକୁ ନିରୋଗ ରଖିବା ପାଇଁ
ସଫାସୁତରା ଯେ ହୋଇବୁ ତୁହି ।
ହେଲେ ରୋଗ ଯାଦୁ, କାଛୁ, କୁଣ୍ଡିଆ
ଡାକ୍ତରଖାନାରେ ହୋଇବୁ ଠିଆ ।
ହ୍ୟାଲୋ ହ୍ୟାଲୋ ବୋଲି ହଲାଇ ହାତ
କହଇ କାହ୍ନାରେ ମୁଁ ତୋ ମିତ ।
ଖାଇବା, ପିନ୍ଧିବା ଲେଖିବା ଆଦି
ଅଶେଷ କାମକୁ କରୁ ସମ୍ପାଦି ।
ପ୍ରତ୍ୟେକ କାମରେ ହାତ ଡାକୁଆ
ଲେଖିଲେଖି ପାଠ ହେବୁ ଆଗୁଆ ।
ହାତ ଅଗ୍ରରେ ପାପୁଲି ଆଙ୍ଗୁଠି
କାମକୁ ସହଜ କରିଥାଏଟି ।
ନଖ କାଟି ନେଲେ ହାତର ଯତ୍ନ
କାମଟି ବଦଳି ହୋଇବ ରତ୍ନ ।
ଗୋଡ଼ ଛାଟି ଗୋଡ଼ କହେ କୁନାକୁ
ମୋ ପାଇଁ ଚାଲିଲୁ ତୁ ଠୁକୁଠୁକୁ ।
ଏବେ ଚାରିଆଡ଼େ ଦଉଡୁଅଛୁ
ଯେତେ କାମ ଗୋଡ଼ ପାଇଁ କରୁଛୁ ।
ଗୋଡ଼ ତ ନଥିଲେ ପଙ୍ଗୁ ସଦୃଶ
ଏକ ସ୍ଥାନେ ପଡ଼ି ମନ ନିରସ ।
ସାହସ ଶକତି ଗୋଡ଼ ଯୋଗାଇ
ପ୍ରତ୍ୟେକ କାମକୁ ନିଏ ଆଗେଇ ।
ଗୋଡ଼ ତଳଭାଗ ପାଦର ଯତ୍ନ
ନେଲେ ତୁ ସାଉଁଟି ପାରିବୁ ରତ୍ନ ।
ହସିହସି ବାକ୍ୟ କହେ କାହ୍ନାକୁ
ଗଳା ବାଟ ଦେଇ ଆସେ ମୁଖକୁ ।
ଯାହା ମୁଁ କହୁଛି ଶୁଣୁଛୁ ତୁହି
ବାକ୍ୟ ବୋଲି ଆମେ ତାହାକୁ କହି ।
ମିଠା କଥା କହି ତୋଷିବୁ ମନ
ଆଶୀର୍ବାଦ ଦେବେ ଆପଣା ଜନ ।
ବାକ୍ୟ ଥିବ ଯେବେ ଆନ ହିତରେ
ବାନ୍ଧି ପାରିବୁ ଆପଣାପଣରେ ।
କଟୁ ବଚନଠୁ ରହିବୁ ଦୂର
ତେବେ ମନ ଖୁସି ରହିବ ତୋର ।
କୁନ୍ଥେଇ କୁନ୍ଥେଇ ପାୟୁ କହଇ
ଗୁହ୍ୟଦ୍ବାର ମୋର ନାମ ଅଟଇ ।
ମଳ ନିଃସରଣ ହୁଏ ମୋ ପଥେ
ତାକୁ ଛାଡ଼ି ମନ ରହେ ଆଶ୍ବସ୍ତେ ।
ଶେଷରେ ଉପସ୍ଥ କହଇ ଗର୍ବେ
ମୋ ବାଟରେ ପରା ଜନମ ସର୍ବେ ।
ଜନ୍ମ ପାଇଁ ନାମ ଜନନେନ୍ଦିୟ
ଲିଙ୍ଗ ଆଉ ଯୋନି ନାମ ଉଭୟ ।
ପାୟୁ ଶୋଧନରେ ରୋଗ ବିନାଶ
ଉପସ୍ଥ ପାବନେ ମନ ହରଷ ।
ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ବା ଓ ତ୍ବକ
ପଞ୍ଚ ଜ୍ଞାନେନ୍ଦ୍ରିୟ ଜ୍ଞାନ ଆଲୋକ ।
ହାତ, ଗୋଡ଼, ବାକ୍ୟ, ପାୟୁ ଉପସ୍ଥ
ପଞ୍ଚ କର୍ମେନ୍ଦ୍ରିୟେ ନର ଦ୍ବାରସ୍ଥ ।
ଏ ଦଶ ଇନ୍ଦ୍ରିୟ ବଶେ ମଣିଷ
କର୍ମ ସାଧୁଥାଏ ହୋଇ ବିବଶ ।
ବଶରେ ନରହି ବଶ କରନ୍ତା
ଜୀବୋନ୍ନତି ମାର୍ଗ ମିଳି ପାରନ୍ତା ।
ସେହି ପଥେ ଯାଇ ପାଳନ୍ତା ଧର୍ମ
ସାର୍ଥକ ଲଭନ୍ତା ମାନବ ଜନ୍ମ ।