STORYMIRROR

Nrusingha Narayan Tripathy

Inspirational Children

4  

Nrusingha Narayan Tripathy

Inspirational Children

ମାଆ ଓ ମମତା

ମାଆ ଓ ମମତା

1 min
294

ମାଆ ମମତାର ଅସୀମ ସ୍ନେହର

ଅବାରିତ ବାରିଧାରା

ବାଣୀ ମଧୁଭରା ବାତ୍ସଲ୍ୟରେ ଭରା

ପବିତ୍ର ପ୍ରେମ ପସରା ll


ଜନ୍ମଧାତ୍ରୀ ମାତା ପ୍ରଥମ ବିଧାତା

କଲ୍ୟାଣକାରୀ ଜନନୀ

ପାଳନ ତାରଣ ସଙ୍କଟ ହରଣ

ମାଆ ମଙ୍ଗଳକାରିଣୀ ll


ସୃଷ୍ଟିର ନିର୍ମାତା ପ୍ରକୃତିରେ ମାତା

ପୂଜନୀୟା ବନ୍ଦନୀୟା

ଶିଶୁ ପାଇଁ ମାଆ ସହେ ଝଡ଼ଝଞ୍ଜା 

ମନ ତାର ନମନୀୟା ll


ରୁଧିର ଝରାଇ ଅମୃତ ପିଆଇ

ଦୁଃଖ ବୁଝି ସନ୍ତାନର 

ଖାଦ୍ୟ ବସ୍ତ୍ର ଦେଇ ଆନନ୍ଦରେ ବାନ୍ଧି

ବଢାଏ ଶିଶୁକୁ ତାର ll


ଜହ୍ନକୁ ଦେଖାଇ କୋଳରେ ବସାଇ

ଖୁସି ପାଇଁ ଗୀତ ବୋଲେ

ହାତ ଧରି ପଥେ ଚାଲିବା ଶିଖାଏ

ପ୍ରେମରେ ଚୁମ୍ବନ ବୋଳେ ll


ଖାଦ୍ୟ ନ ରୁଚିଲେ କଳରେ ଜାକିଲେ

ମାଆର ହୃଦୟ କାନ୍ଦେ

ଦାଣ୍ଡରେ ବୁଲାଇ ପଶୁଙ୍କୁ ଦେଖାଇ

ଖାଦ୍ୟକୁ ଖୁଆଇ ଦିଏ ll


ଧୂଳି ଧୂସରକୁ ଝାଡେ ଶରୀରକୁ

 ପିନ୍ଧିବା ଲୁଗାରେ ତାର  

ଶିଶୁ ମଳ ମୂତ୍ର ସଫା କରେ ସେତ

ନଥାଏ ମନେ ବିକାର ll


ବେଳ ଫେରିବାର ହୋଇଲେ ଉଛୁର

ଦୁଆରେ ଜଗିକି ବସେ

ଆସିଲାଣି ଧନ ଆନନ୍ଦେ କହିଣ

କାନିରେ ମୁହଁ ଆଉଁସେ ll


ସିଲଟ ଖଡ଼ିରେ ଅକ୍ଷର ଚିହ୍ନାଏ

ପ୍ରଥମ ଗୁରୁସେ ଜାଣ

ଗୀତ ଗପ କହି ପଢ଼ାଏ ସେ ବହି

ସ୍ନେହ ବୋଳା ଆକର୍ଷଣ ll


ରୋଗ କଷ୍ଟ ବେଳେ ପାଶେ ସଦାବେଳେ

ବସିକରି ସେବା କରେ

ଆଦରେ ତାହାର ପୀଡା ହୁଏ ଦୂର

ଦୃଢ଼ ତାର ମମତାରେ ll


ବିପଦେ ସମ୍ପଦେ ତାର ପରାମର୍ଶେ

କର୍ମମାନ ହୁଏ ସ୍ଥିର

ସନ୍ତାନ ପାଇଁ କି ଅନିଦ୍ରା ହୋଇକି

ଅବଶ ହୁଏ ଶରୀର ll


ଅନାବିଳ ସ୍ନେହ ମାତୃତ୍ୱର ମୋହ

ମହିୟସୀ ଗର୍ଭଧାରୀ 

ନିଃସ୍ୱାର୍ଥ ଭାବନା ଭବିଷ୍ୟ କାମନା

ସନ୍ତାନର ଶୁଭକାରୀ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational