ବାପା ମୁଁ ତୁମ ପରୀ
ବାପା ମୁଁ ତୁମ ପରୀ
ବାପା ମୁଁ ତୁମର ଘର ଅଗଣାରେ ଟିକି ପରୀ
ସେନେହ ମମତା ଦେବ ଭାବିବନି ପର କରି
ଆଜି ଅଛି କାଲି ଛାଡ଼ିଦେବ ଦୂରେ ବହୁ ଦୂରେ
ଆଉ କି କରିବି ଅଳି ତୁମପାଖେ ଶରଧାରେ ।
ମାଆ ଲୋ ମୁଁ ତୁମ ସୁନା ହାତେ କୁନି କଣ୍ଢେଇଟେ
ଦିଅ ମୋ କପାଳେ ଗେଲକରି ମିଠା ଚୁମା ଗୋଟେ
ରହିଥିବି ହୋଇ ସାରା ଜୀବନ ଧାରୁଆ ତୁମର
ପାରିବିନି ତୁମ ଋଣ ସୁଝି ତୁମେ ଦେବୀ ମୋର ।
ଆଣିଲ ମୋତେ ଏ ଦୁନିଆକୁ ତୁମେ ଦୁଃଖ ସହି
ଖୁସି ଦେଲ ମୋତେ ରାତି ରାତି ଉଜାଗର ରହି
ତୁମ ବଗିଚାର କଢ଼ିଟିଏ ଶିଶୁ ନୁହେଁ ମୁହିଁ
ବିତରିବି ବାସ ପିତା ମାତା ତୁମ ନାମ ଗାଇ ।
ଝିଅ ହେଲି ବୋଲି କରିବନି କେବେ ମନ ଉଣା
ଚଳିବି ସଂସାରେ କରିଣ ସଭିଙ୍କୁ ମୁଁ ଆପଣା
ନିଜେ ଲୁହ ପିଇ ହସ ବାଣ୍ଟି ଦେବି ଦଶଗୁଣା
ଝିଅ ପାଇଁ ସବୁ ସମ୍ଭବ ଜଗତ ଜନେ ଜଣା ।
ପଢ଼ିବି ବଢିବି ପାଠରେ ମୁଁ ହେବି ଆଗୁସାର
ଗଢ଼ିବି ସୁନ୍ଦର ଯନ୍ତ୍ର ନୂଆ ନୂଆ ବିଜ୍ଞାନର
ନାରୀକୁ ଭାବୁଛ ଅବଳା ଦୁର୍ବଳା ତୁମେ କିଆଁ
ନାରାୟଣୀ ରୂପେ ଘରେ ଘରେ ହୋଇଥାଏ ଠିଆ ।
ଭଲ ପାଅ ମତେ ମିଳିଯିବ ଅସରନ୍ତି ଖୁସି
ଐଶ୍ବରିକ ଦାନ ହୋଇ ତୁମ ପାଶେ ଅଛି ଆସି
ଖେଳିବି ବାପାଗୋ ତୁମ କୋଳେ ମୁହିଁ ହସି ହସି
ରହିଥିବି ମାଆ ତୁମ ପଣତର ତଳେ ବସି ।
କନ୍ୟା ଭୃଣ ଜାଣି କର ନାହିଁ ମୋର ସର୍ବନାଶ
ତୁମେ ମାଆ ଥିଲ ଝିଅଟିଏ ବଢାଇଲ ବଂଶ
ମତେ ମାରିଦେଲେ ମାଆ ମାନେ ଆଉ ଥିବେ କାହିଁ
ଝିଅ ପୁଅ ସବୁ ସମାନ ପାର୍ଥକ୍ଯ କର ନାହିଁ ।
