ସନ୍ତାନ
ସନ୍ତାନ


କୁନି କୁନି ପାଦ ଥାପି ଚାଲିବାକୁ
ବାପା ହାତ ବଢେଇ ଦିଏ ,
ଚାଲୁ ଚାଲୁ ଝୁଣ୍ଟି ପଡ଼ିବା ଆଗରୁ
ମାଆ କୋଳେଇ ନିଏ ।୧
ସଂସାର ପଥଟି ଅତ୍ୟନ୍ତ ଜଟିଳ
ଏ କଥା ଜାଣେ ସନ୍ତାନ ,
ମାତା ପିତାଙ୍କର ସତ୍ ଉପଦେଶ
ପିଲାଟି ପାଏ ସୁଜ୍ଞାନ ।୨
ତରୁଣ ମନର ଚଞ୍ଚଳ ଆବେଗେ
ବିପଥଗାମୀ ସଭିଏଁ ,
ଯୌବନ ଉନ୍ମାଦେ ଭୁଲି ପରିବାର
ସଭିଙ୍କୁ ପାଶୋରି ଯାଏ ।୩
ବଡ ଘରେ ବଡ଼ ଗୁମର କଥା ଏ
ବାପାମା କାନ୍ଦନ୍ତି ଲୁଚି ,
ଜରା ନିବାସରେ ଦିନ କା'ର କଟେ
ସମୟ ସରି ଯାଉଚି ।୪
ଆଜିର ସନ୍ତାନ ବୁଝେନାହିଁ ମନ ,
ପାସୋରେ ତା ପିଲାଦିନ ,
ତା ସପନ ପୂର୍ଣ୍ଣ କରିବା ଆଶାରେ
ମାତାପିତାଙ୍କର ଅବଦାନ ।୫
ଆଜିର ଯୌବନ କାଲି ଚାଲି ଯିବ
ବାର୍ଦ୍ଧକ୍ୟ ତୋର ଆସିବ ,
ଆପଣା ଗୋଡ଼ରେ ଛୋଟ ଟି ବାଜିଲେ
ତୋ ଜ୍ଞାନ ଉଦୟ ହୋଇବ ।୬।