STORYMIRROR

Kamalini Panigrahi

Children

4  

Kamalini Panigrahi

Children

ମା ଓ ମମତା

ମା ଓ ମମତା

1 min
373

ଲହୁ ଲୁହ ସିଞ୍ଚି ଜଠରେ ଗଢ଼ଇ

     ମାଟିର ପିତୁଳା ଟିଏ

ନବ ମାସ ଅନ୍ତେ ସହିଯେ ବେଦନା

      ଅନ୍ତଫାଡ଼ି ଜନ୍ମଦିଏ।


ଚାନ୍ଦ ଠୁ ଶୀତଳ ହୃଦୟ ତାହାର

     ଶରୀର ଜହ୍ନ ଠୁ ତୋଫା

ଜଳ ଠାରୁ ସ୍ୱଚ୍ଛ ପବିତ୍ର ମନ ତା

     ଝରଣା ଠାରୁ ବି ସଫା।


ଧରଣୀ ଠାରୁ ବି ସହନଶୀଳା ସେ

       ଗିରି ଠାରୁ ବି ଗମ୍ଭୀର

ଆକାଶ ଠାରୁ ବିଶାଳ ତା ହୃଦୟ

     ସ୍ରୋତ ଠାରୁ ସେ ପ୍ରଖର।


ବିଶ୍ଵାବସୁ କର ଠାରୁ ବି ଉଜ୍ବଳ

       ନୟନ ଯୁଗଳ ତାର

ଫୁଲଠୁ କୋମଳ ସ୍ପର୍ଶ ଯେ ତାହାର

     ଭଣ୍ଡାର ସ୍ନେହ ପ୍ରେମର।


ତାପାଇଁ ପାଇଲି ପ୍ରଥମ ଛୁଆଁ ମୁଁ

      କୋଳ ଧରିତ୍ରୀ ମାତାର

ଜୀବନ ଜ୍ୟୋତି ର ସେଆଦ୍ୟ କିରଣ

     ଅନବଦ୍ୟ ତ୍ୟାଗତାର।


ଦଶମାସ ଗର୍ଭେ ଧାରଣକରିସେ

       ଆଣିଲାତ ଦୁନିଆକୁ

ସୂର୍ଯ୍ୟ ର ପହିଲି କିରଣ ର ସ୍ପର୍ଶ

      ଏନ୍ତୁଡ଼ିର ତ ଛୁଆଁକୁ।


ପଣତ କାନିରେ ସ୍ବର୍ଗ ସୁଖ ତାର

      ସର୍ବ ତୁଚ୍ଛ ପାଶେ ତାର

ପଣତ ଘୋଡାଇ ପିଆଏ ସ୍ନେହରେ

       ଦୁଗ୍ଧ ଅମୃତକୁ ତାର।


ମମତା ର ପୂଜାରିଣୀ ସେ ଜଗତେ

      ପ୍ରେମମୟୀ ସତ୍ୟମୟୀ

ତା ପଣତ ତଳେ କ୍ଳେଶ ମେଣ୍ଟିଯାଏ

     ପଡ଼ିଲେ ଥରେ ତା ଛାୟୀ।


ଦୁଃଖ କଷ୍ଟ ଆଉ ଜୀବନ ବାଟରେ

     ବାଧା ବିଘ୍ନ ଯେତେ ଆସେ

ତାପଣତେ ଥରେ ପୋଛିଦେଲେ ଦେହ

      ସୁଖର ମହକ ବାସେ।


ତା କୋଳ ଶୟନେ ଫୁଲ ଶେଯ ହୀନ

      ତୁଳା ଶେଯ ହୀନ ଭାବେ

ଦିବସର ଥକାପଣ ଦୂର ହୁଏ

      ଆଉଁଶି ଦିଏ ସେ ଯେବେ।


ଘୋରରୌଦ୍ରତାପେସ୍ୱେଦଦେଖିଯେବେ

      ବିଞ୍ଚି ଦିଏ ତା ପଣତେ

ଥଣ୍ଡା ସମୀରଣ ଆଭାସ ହୁଏତ

     ନିଦ୍ରାଯାଏ ଆଲ୍ଲାଦିତେ।


କଢ଼ିରୁ ପ୍ରସ୍ଫୁଟିତ କରି ଗଢ଼ିଲା 

      ମହକିତ ଫୁଲଟିଏ

ବାସନା ର ମୂଲ ଶରୀରେ ବିଞ୍ଚିଲା

    ହୋଇ ଆଦ୍ୟ ଗୁରୁ ଟିଏ।


ମମତାର ବାଲିଘର ତୋଲିଦେଲା

     ହୃଦୟଅନୁକୋଣ ରେ

ଦୁର୍ଗମ ପଥକୁ ଚାଲିବା ଶିଖାଇ

     କଣ୍ଟକିତ ପଥ ଧାରେ।


ତା ମମତା ତଳେ ଲୁଚି ରହିଛି ମୋ

      ଅସ୍ତିତ୍ୱର ବାଲିଘର

ସେ ଘରକୁ କେବେ ଭାଙ୍ଗି ମୁଁ ଦେବିନି

     ହୃଦୟେ ରଖିମୋ ଚିର।


ତା ପଣତ ହାଏ ଯା ଦେହରେ ନାହିଁ

    ସତେ ସେ କେଡେ ଗରିବ

ମା ଯାର ନାହିଁ ସଂସାର ରେ ସତେ

    ସ୍ବର୍ଗ ସୁଖ ର କି ହେବ।


ତାର ପରଶରେ ରୋଗ ଦୁଃଖ କଷ୍ଟ

    ନିମିଷେ ଯାଏ ଉଭେଇ

ମାଡ଼ଗାଳି ତାର ଆଶିଷ ମୋ ପାଇଁ 

    ଦୀର୍ଘଯିବି ହେବାପାଇଁ।


ଦେବା ଦେବୀ ଠାରୁ ବଡ଼ ସେ ମୋ ପାଇଁ

     ମୋ ହୃଦୟର ମନ୍ଦିରେ

ଭାଗ୍ୟବତୀ ଅଟେ ତା କୋଳେ ଜନମି

     ଭୂଲି ବିନି ତାକୁ ଥରେ।


ତାପଣତ ଛାଇଥାଉ ମୋର ପାଇଁ

     ଜିତି ଯିବି ଦୁନିଆକୁ 

ତା ଆଶିଷ ହସ୍ତ ଥାଉ ଯେ ସର୍ବଦା

     ଭୂଲି ଯିବି ମୋ ଦୁଃଖକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children