STORYMIRROR

Kamalini Panigrahi

Romance

3  

Kamalini Panigrahi

Romance

ଜହ୍ନରେ ଦିସୁଛ ତମେ

ଜହ୍ନରେ ଦିସୁଛ ତମେ

1 min
193

ଦୂର ଆକାଶର ତୋଫା ଜହ୍ନଟିଏ

ଅଳିନ୍ଦରେ ଝଟକୁଛି

କମନୀୟତାରେ ରୂପ ଲାବଣ୍ୟରେ

ତୁମ ଛବି ପ୍ରକଟୁଛି।।

ନୀଳ ସ୍ୱପ୍ନାଚ୍ଛନ୍ନ ମୋ ଚିତ୍ତ ଚୈତନ୍ୟ

କ୍ଷଣେ ସାନ୍ଦ୍ରେ ବିଗଳୁଛି

ବିଡମ୍ବନା ମାତ୍ର ମୋ ପାଇଁ ଅସ୍ପର୍ଶୀ

ହାତଠାରୁ ଦୂରେ ଅଛି।।

ପ୍ରୀତିସକ୍ତ ଜ୍ୟୋସ୍ନା ବିତରେ କିରଣ

ଦେଖିହୁଏ ଛୁଇଁହୁଏନା

ଅପ୍ରାପ୍ୟ ଆସକ୍ତେ ବଶବର୍ତ୍ତୀଫଳ

ସହିହୁଏ କହିହୁଏନା।।

ପ୍ରେମ ତ ଅବାଧ ଭାବଗତେ ଅନ୍ଧ

ଦୁର୍ବାର ତା ଗତିପଥ

ହାର୍ଦିକ ଆବେଶେ ଦୈହିକ ଆକର୍ଷେ

ହୃଦରୁ ହୃଦକୁ ଗତ।।

ମୋହିତ ମନର ଉଷ୍ଣ ସମ୍ମୋହନେ

ଚିତ୍ତ ମୃଦୁ ଆଲୋଡ଼ନେ 

ପ୍ରେମ ତ ଉନ୍ମତ୍ତ ରାସ ରସୋତ୍ତୀର୍ଣ୍ଣେ

ଜାଳେ ଶୃଙ୍ଗାରୋଦ୍ଦୀପନେ।।

ନିସାର୍ଦ୍ଧରେ ଦେଖେ ତୁମ୍ଭ ପ୍ରତିଛବି

ପ୍ରସ୍ପୁଟିତା କଇଁ ପ୍ରାଣେ

ତୋ ଆବର୍ତ୍ତମାନେ ଶୂନ୍ୟତା ଦହୁଛି

ଅଭ୍ୟନ୍ତର ପ୍ରତିକ୍ଷଣେ।।

ଫୁଲର ଫଗୁଣେ ଆସିଥିଲୁ ଯେବେ

ମୃଦୁସିକ୍ତ ସମୀରଣେ 

ପହିଲି ପ୍ରୀତିର ଭାବ ଭିଆଇଲୁ

ମୋ ଆଚାର ଉଚ୍ଚାରଣେ।।

ଋତୁ ରୋମାଞ୍ଚର ଚଇତି ସ୍ପର୍ଶନେ

ଦେହ ମନ ଉଲ୍ଲସିତ 

ମହୁଆ ମହକେ ଉଷ୍ମିତ ଯୌବନେ

ରତିମଗ୍ନେ ଶିହରିତ।।

ମୋ ଚତୁଃପାର୍ଶ୍ଵରେ ପ୍ରୀତିର ମଲ୍ଲାର

କଲୁ ସୌରଭରେ ସିକ୍ତ

ମାଦକତା ଭରା ମହୁଆ ମଳୟ

ହୃଦେ ବହେ ଅବିରତ।।

ବେଳ ଅବେଳରେ ନିଃସଙ୍ଗ ମୁହୂର୍ତ୍ତେ

ତୁମ ଛବି ଉଙ୍କିମାରେ

ରତି ରୋମାଞ୍ଚର ମହୁଲିଆ ନିଶା

ଚିନ୍ତା ଚେତନାକୁ ଘାରେ।।

ତୁମ ପ୍ରତୀକ୍ଷାରେ ଦିବାନିଶି ମରେ

ଆଶିବା ମହକ ନାହିଁ

ସୂର୍ଯ୍ୟ ପ୍ରତ୍ୟାବର୍ତ୍ତେ ଗୋଧ୍ୱଳୀ ଲଗନେ

ରାତ୍ରବିତେ ବାଟ ଚାହିଁ।।

ତୁମ ପ୍ରଣୟର କସ୍ତୁରୀ ମହକ

ଛୁଇଁଲା ଦିନଠୁ ଚିତ୍ତ

ମୁଁ ହେଲି ଉନ୍ମନା ମତିଗତି ହୀନା

ଉଆଁସେ ବି ଉଚ୍ଛ୍ଵାସିତ।।

ଅପୂର୍ଣ୍ଣ ପୂର୍ଣ୍ଣତା ନୋହିଲା ଜୀବନେ

ନିଦାଘ ଆସିଲା ଧାଇଁ

ନିଃସଙ୍ଗତା ପଣେ ତୋଠାରେ ଚାହିଁଛି

କ୍ଷଣେ ମରି କ୍ଷଣେ ଜୀଇଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance