STORYMIRROR

Kamalini Panigrahi

Inspirational

3  

Kamalini Panigrahi

Inspirational

ଆସିଛି ଶୀତ

ଆସିଛି ଶୀତ

1 min
249

ହେମନ୍ତ ବିଦାୟେ ଅବତରି ଆସେ

  ସୁଶୀତଳ ଶୀତକାଳ 

ହିମାଦ୍ରିର ହିମଗହ୍ଵର ମଧ୍ୟରୁ

  ବହିଆସେ ତ ହେମାଳ।।


ଟୋପା ଟୋପା ଶିଶିର ବିନ୍ଦୁ ପଡ଼ଇ

   ଶୀତେ ହୋଇ ଘନୀଭୂତ

ପ୍ରକୃତି ରାଜ୍ୟରେ ପରିବର୍ତ୍ତନର

   ଦୃଶ୍ୟ ବୈଚିତ୍ର୍ୟ ମଣ୍ଡିତ।।


ଭାସ୍କର ଉଦିତ ହୁଅନ୍ତି ବିଳମ୍ୱେ

   ରାତ୍ରି ବଡ ଦିନ ସାନ

ପାଣ୍ଡୁଶ୍ରୀ ଧାରଣ କାକର ସଂସ୍ପର୍ଶେ

   ହୁଏ ବୃକ୍ଷଲତାମାନ।।


ଦୂର ଦିଗବଳୟ ଧୁଆଁଳିଆରେ

   ଲୁଚିଛପି ଖେଳୁଥାଏ

ଏକାନ୍ତ ଶାନ୍ତ ଓ ନୀରସ ଶିଶାନ୍ତ

   ପ୍ରଭାତେ ଧରଣୀ ହୁଏ।।


ହାଡ଼ଭଙ୍ଗା ଶୀତ ଖାତିର ନ କରି

   କୃଷକ ଯେ ପ୍ରତ୍ୟୁଷରୁ

ଚଞ୍ଚଳ ଚିତ୍ତରେ ଶସ୍ୟ ଆଣିଯାଏ

  ହଳଦୀ ସୁନା କ୍ଷେତରୁ।।


ବାଳ ସୂର୍ଯ୍ୟଙ୍କର କଅଁଳ କିରଣ

  ପଡ଼େଯେବେ ଧରିତ୍ରୀରେ

କଅଁଳାବାଛୁରୀ ଡ଼ିଆଁକୁଦା ମାରେ

  ଅତି ଉଦଣ୍ଡ ଭାବରେ।।


ଜରା ଜୀର୍ଣ୍ଣ ବୃଦ୍ଧ ଧୂନି ଜାଳିଦେଇ

  ପାସୋରି ଶୀତ କଷ୍ଟକୁ

ଦଳବଦ୍ଧ ହୋଇ ଆସର ଜମାନ୍ତି

   ବାଣ୍ଟିତ ଦୁଃଖ ସୁଖକୁ।।


ଆର୍ଦ୍ରବସ୍ତ୍ର ପରିହିତା ଲଜ୍ଜାଶୀଳା

   ପଲ୍ଲୀବଧୂ ସ୍ନାନସାରି

ଥୁରୁ ଥୁରୁ ହୋଇ ଶୀତ ପ୍ରଭାତରେ

   ଆସେ କଳସୀକୁ ଧରି।।


ହଳଦୀ ରଙ୍ଗର ସୋରିଷ କ୍ଷେତଟି

   ବାଳ ସୂର୍ଯ୍ୟର ପରଶେ

ସ୍ନିଗ୍ଧ ମଞ୍ଜୁଳ ର ସତେ ରୁପକାନ୍ତି

   ସୃଷ୍ଟି କରେ ପରିବେଶେ।।


ରଙ୍ଗ ବେରଙ୍ଗର ଗେଣ୍ଡୁ ଫୁଲ ଫୁଟି

   ଶୋଭାପାଏ ବଗିଚାରେ

ଫୁଲରୁ ଫୁଲକୁ ପରଜା ପତିଟି

   ଉଡୁଥାଏ ହରସରେ।।


ଧେନୁ ପଲଙ୍କର ହମାରଡି ଶୁଭେ

   ସନ୍ଧ୍ୟାରେ ଗ୍ରାମଦାଣ୍ଡରେ

ମନ ଫୁଲାଣିଆ ସଙ୍ଗୀତ ମୂର୍ଚ୍ଛନା

   ଶୁଭେ କୃଷକ ଖଳାରେ।।


ଅତିଥିର ବେଶେ ଉତ୍କଳ ଆକାଶେ

   ଉଡ଼ନ୍ତି ବିଦେଶୀ ପକ୍ଷୀ

କବି ଭାବୁକ ଓ ଦାର୍ଶନୀକ ମନେ

   କବିତା ହୁଅଇ ଲେଖି।।


ସୁଷମା ପଖାଳି ପର୍ଯ୍ୟଟନ ସ୍ଥଳୀ

   କରେ ମନକୁ ହରଣ

ପ୍ରକୃତିର ଏହି ସୌନ୍ଦର୍ଯ୍ୟ ରୂପରେ

   ବଶୀଭୂତ ପ୍ରାଣୀ ଗଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational