ବ୍ରଜ ସୁନ୍ଦର
ବ୍ରଜ ସୁନ୍ଦର


ଦାଣ୍ଡରେ ଶୁଭିଲା କହ୍ନେଇ ଡାକ l
ଆସ ଆସ ସର୍ବେ ବ୍ରଜ ବାଳକ ll
ଶ୍ରୀଦାମ,ସୁଦାମ ଭାଈ ସୁବଳ l
ମଠ କର ନାହିଁ ଆସ ସଅଳ ll
ବରଷକେ ହୋଲି ଆସିଛି ଚାଣ୍ଡେ l
ଲଉଡ଼ି ଖେଳିବା ବରଜ ଦାଣ୍ଡେ ll
ହାତେ କେନ୍ଦୁ ବାଡ଼ି ରଙ୍ଗ ଅବିର l
ରଙ୍ଗେ ରଙ୍ଗାଇବା ଏ ଗୋପପୁର ll
ଗୋପ ଗୁଆଳୁଣୀ ଚତୁରୀ ନାରୀ l
ମଥୁରା ଯାଆନ୍ତି ବେପାର କରି ll
ମୁଖେ ଦେବା ତାଙ୍କ ଅବିର ବୋଳି l
ବଡ଼ ସରାଗୀ ସେ ବରଜ ବାଳୀ ll
ଯମୁନା ଘାଟରେ ହୋଇବା ମେଳ l
ଦୁଧ ଘୋଳ ଖାଇ କରିବା ଗୋଳ ll
ଏତେକେ ବିଚାରି ବରଜ ବାଳ l
କୃଷ୍ଣ ବଳରାମେ କଲେ ଚହଳ ll
ରଙ୍ଗେ ରଙ୍ଗାଇଲେ ବରଜବାଳି l
ଅବିର ହରିଦ୍ରା କଜ୍ଵଳେ ବୋଳି ll<
/p>
ବାଳି ଯାଇ ତହୁଁ ଅତୀବ ରୋଷେ l
ଗୁହାରୀ କରନ୍ତି ମାତାଙ୍କ ପାଶେ ll
କାହ୍ନୁ ଦେଲା ଆମ୍ଭ ମହତ ସାରି l
ପୁତ୍ରକୁ ସମ୍ଭାଳ ଲୋ ନନ୍ଦନାରୀ ll
ପୁତ୍ରଙ୍କୁ ବାନ୍ଧନ୍ତି ଯଶୋଦା ମାତ l
ଦୁଷ୍ଟ ଦୁଷ୍ଟ ବୋଲି ପିଟନ୍ତି ଛାଟ ll
ଶ୍ରୀକୃଷ୍ଣ ବୋଲନ୍ତି ଶୁଣଲୋ ମାତା l
ହେବିନାହିଁ ତୋର ଆଉ ମୁଁ ପୁତା ll
ଧାଇଁ ଆସି ତହୁଁ ଗୋପର ନାରୀ l
କାହ୍ନାଟା ଯଶୋଦା ଅଝଟ ଭାରି ll
ମାରନାହିଁ ମାତ ତାହାରେ ଛାଟ l
କରୁ ଥାଉ କାହ୍ନା ଏମନ୍ତେ ନାଟ ll
କାହ୍ନା ପରା ଆମ୍ଭ ବ୍ରଜେ ସୁନ୍ଦର l
ଜନ୍ମ ଜନ୍ମାନ୍ତରେ ପ୍ରାଣ ଆମ୍ଭର ll
ଧନ୍ୟ ଧନ୍ୟ ତୁମ୍ଭେ ବରଜ ନାରୀ l
ବ୍ରଜେଶ୍ବର ପଦେ ରହେ ଜୁହାରୀ ll