STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଗ୍ରୀଷ୍ମକଷ୍ଟ ଦୂରପାଇଁ ସୂର୍ଯ୍ୟ ଦେବଙ୍କୁ ପ୍ରାର୍ଥନା

ଗ୍ରୀଷ୍ମକଷ୍ଟ ଦୂରପାଇଁ ସୂର୍ଯ୍ୟ ଦେବଙ୍କୁ ପ୍ରାର୍ଥନା

1 min
0

  ଗ୍ରୀଷ୍ମକଷ୍ଟ ଦୂରପାଇଁ 

 ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା 

   ===========

ଆହେ ତପନ ପ୍ରଣତି ଘେନ 

   ଡାକଇ ହାତ ଯୋଡ଼ି।

ତାପରେ ପ୍ରଭୁ ନତପା ଆଉ 

   ସଂସାର ଯିବ ପୋଡ଼ି।।

ହେ ପ୍ରଭୁ ତ୍ଵଷ୍ଟ୍ୱା ବିଶ୍ୱର ସ୍ରଷ୍ଟା 

    ତୁମ୍ଭେ ତ ବିଶ୍ୱ ଚକ୍ଷୁ।

ଜଳି କି ଯିବ ଏ ସାରା ବିଶ୍ୱ 

     ତୁମ୍ଭରି ଦେଖୁ ଦେଖୁ।।

ତୁମ୍ଭେ ଆଦିତ୍ୟ ଅଦିତି ସୂତ 

     କଶ୍ୟପ ତୁମ୍ଭ ପିତା।

ତୁମ୍ଭେ ତମୋଘ୍ନ ପ୍ରଭୁ ହିମୋଘ୍ନ 

    ତୁମ୍ଭେ ହିଁ ବିଶ୍ୱଧାତା।।

ହେ ପିତୃଦେବ ଅର୍ଯ୍ୟମା ଦେବ 

      ନମସ୍ତେ ଦିବାକର।

ପ୍ରଭୋ ମାର୍ତ୍ତଣ୍ଡ ତେଜ ପ୍ରଚଣ୍ଡ 

    ତେଜକୁ ହ୍ରାସ କର।।

ହେ ଅଂଶୁମାଳୀ ଚରଣେ ଅଳି 

      ଏତିକି ମାତ୍ର ଆଜି।

ତବ ତେଜରେ ଗଲେଣି ଜଳି 

      ସମସ୍ତ ଵୃକ୍ଷ ରାଜି।।

ଶୁଖି ଗଲେଣି ତୁମ୍ଭରି ତେଜେ 

      ସମସ୍ତ ଜଳାଧାର।

ପ୍ରାଣୀ ସକଳ ଭାରି ବିକଳ 

    ହେ ପ୍ରଭୁ ପ୍ରଭାକର।।

ଅତି ଆତଙ୍କେ ବସି ଚାତକେ 

    ମାଗନ୍ତି ଜଳ ଚାହିଁ।

ଝିଙ୍କାରି ବସି ଖିଙ୍କାରି ଡାକେ 

   ଶବଦେ କମ୍ପେ ମହୀ।।

ତୁମ୍ଭେ ତ ସ୍ରଷ୍ଟା ତୁମ୍ଭେ ତ ଦ୍ରଷ୍ଟା 

        ହରିଛ ସବୁ ଜଳ।

ସେ ଜଳ ଦେଇ ସରଜ ପ୍ରଭୁ 

    ଆକାଶେ ମେଘମାଳ।।

ଗରଜ କରି ବରଷୁ ମେଘ

     କଷଣ ଯାଉ ସରି।

କୂଅ ପୋଖରୀ ନଦୀ ତଡ଼ାଗ 

    ଜଳରେ ଯାଉ ପୁରି।।

ସକଳ ଶକ୍ତି ଆଧାର ପ୍ରଭୋ 

     ତୁମ୍ଭରି ପୁତ୍ର ଯମ ।

ତପନ କୂଳେ ଜନ୍ମିଲେ ପ୍ରଭୁ 

   ତ୍ରେତୟା ଯୁଗେ ରାମ।।

ହେ ବିଶ୍ୱଦେବ କରୁଣା ହେବ 

      ଗ୍ରୀଷମ ହେବ ଦୂର।

ଆହେ ସବିତା ବିଶ୍ୱ ନିର୍ମାତା 

   ଘେନ ମୋ ନମସ୍କାର।।

        🙏🙏🙏

            ଅର୍ଜୁନୀ 

        ----------

ଅର୍ଜୁନୀ ଚରଣ ବେହେରା 

ମୋ -୭୬୯୩୦୯୧୯୭୧





Rate this content
Log in

Similar oriya poem from Inspirational