STORYMIRROR

LALIT MOHAN DASH

Inspirational

3  

LALIT MOHAN DASH

Inspirational

ଜୀବନ୍ତ ଠାକୁର - ବାପା

ଜୀବନ୍ତ ଠାକୁର - ବାପା

1 min
161

ବାପାମାନେ କେବେ ଅଭିମାନ କରନ୍ତିନି...

କେବେ ରାଗ କରନ୍ତିନି..

କେବେ ଅଭିଯୋଗ କରନ୍ତିନି..

କେବେ ଅଭିଶାପ ମଧ୍ୟ ଦିଅନ୍ତିନି...

କେବେ ହସି ପାରନ୍ତିନି...

କେବେ କାନ୍ଦି ପାରନ୍ତିନି...

କେବେ ମଧ୍ୟ ଦୁଃଖକୁ ବାଣ୍ଟି ପାରନ୍ତିନି...

କେବେ ଅନ୍ୟକୁ ଦୁଃଖ ଦେଇ ଜାଣନ୍ତିନି...

କେବେ ମଧ୍ୟ କାହାକୁ କନ୍ଦାଇ ପାରନ୍ତିନି।


ବପାମାନେ ରାଗ ଅଭିମାନକୁ ପି - ପାରନ୍ତି ଆଞ୍ଜୁଳା ଆଞ୍ଜୁଳା

ସବୁ ଦୁଃଖ କଷ୍ଟର ଗରଳକୁ ଉଦରସ୍ଥ କରିପାରନ୍ତି

ହୋଇଯାନ୍ତି ନୀଳକଣ୍ଠ

ବିଷର ପୀୟାଲାରୁ ପୀୟୂଷ ଗୋଟାନ୍ତି

ମୁଣ୍ଡ ଉପରକୁ ନେଇଥାନ୍ତି ଦୁନିଆର ସବୁତକ ବୋଝ

ସବୁ ହସ ଖୁସିକୁ ଏକାକାର କରିଦିଅନ୍ତି

ସବୁତକ ଲୁହ ଲହୁକୁ ଲେପନ କରିଦିଅନ୍ତି ସର୍ବାଙ୍ଗେ

ଚନ୍ଦନ ସମ ମହ ମହ ବାସୁଥାଏ ପୃଥିବୀ

ବିନ୍ଦୁ ବିନ୍ଦୁ ସ୍ଵେଦ ନିଗିଡ଼ି ପଡୁଥାଏ

ଡହ ଡହ ଖରାରେ ଆଉଟୁ ପାଉଟୁ ହେଉଥାଏ ପ୍ରାଣ ଟିକକ।


ବାପାମାନେ ବାଣ୍ଟି ଦିଅନ୍ତି ମିଠା ମିଠା ହସ

ସରଗରୁ ଓହ୍ଲାଇ ଆଣନ୍ତି ପୂର୍ଣ୍ଣତାର ଶଶୀ

ସାଉଁଟି ଆଣନ୍ତି ତାରାଫୁଲ କେତେ

ଅଜାଡ଼ି ଦିଅନ୍ତି ରିକ୍ତ ହାତ ପାପୁଲିରେ

ସୁଖରେ ଦୁଃଖରେ ଛାଇ ହୋଇ ପାଖେ ଘୁରୁଥାନ୍ତି

ପିଠିରେ ବସେଇ ଆକାଶ ଦେଖାନ୍ତି

କୋଳରେ ବସେଇ ମଣିଷ କରାନ୍ତି

କାନେ କାନେ କହୁଥାନ୍ତି ଜିଁଇବାର କଥା

ଦେଖେଇ ଦିଅନ୍ତି ହାତଠାରି ଜୀବନର ରାସ୍ତା

ଅଙ୍କା ବଙ୍କା ବନ୍ଧୁର ପଥରେ କେତେ ଖାଲ ଢିପ

ଆଉ ସଶକ୍ତ ହେବାର ଯେତେ ଗାଣିତିକ ସୂତ୍ର

ହାତ ଧରି ଶିଖେଇ ଦିଅନ୍ତି ଭଙ୍ଗା ସିଲଟରେ।


ଵାପାମାନେ ଅବୁଝା ହୁଅନ୍ତିନି କିମ୍ବା

ଅଝଟ ବି କରନ୍ତିନି

ସବୁ ଅବୁଝା ପଣକୁ, ସବୁ ଅଝଟ ପଣକୁ

ସାଇତି ରଖନ୍ତି ଅୟୁତ ଅୟୁତ ଦିନ ପର୍ଯ୍ୟନ୍ତ।


ଅନ୍ଧାରରେ ରହି ଆଲୋକ ବାଣ୍ଟିବାର ଧର୍ମକୁ ଆବୋରି ନିଅନ୍ତି ବାପାମାନେ

କଣ୍ଟକିତ ରାସ୍ତାରେ ଚାଲି ଚାଲି ଫୁଲ ବିଞ୍ଚିବାର ବ୍ରତ ଗ୍ରହଣ କରନ୍ତି ବାପାମାନେ

ନିଜର ସମସ୍ତ ଅସ୍ଥିତ୍ୱକୁ ବଳିଦାନ ଦେବାର ବଜ୍ର ଶପଥ ନେଇଥାନ୍ତି ବାପାମାନେ...

ହସ ଟିକେ ଦେଖିବାକୁ ନିଜ ସନ୍ତାନ ମୁଁହରେ

କାରଣ ସେ ବାପା,

କେବଳ ବାପା

ବାପା ବିନା ଅନ୍ୟକିଛି ନୁହେଁ ତା ପରିଚୟ।



Rate this content
Log in

Similar oriya poem from Inspirational