ଶିଶୁ କବିତା ଶଗଡ଼ ଗାଡ଼ି
ଶିଶୁ କବିତା ଶଗଡ଼ ଗାଡ଼ି
ଶିଶୁ କବିତା
ଶଗଡ଼ ଗାଡ଼ି
=========
ଦେଖ ଦେଖ ଦେଖ ଶଗଡ଼ ଗାଡ଼ି।
ଗଡ଼ ଗଡ଼ ହୋଇ ଯାଉଛି ଗଡ଼ି।।
କେଁଏଁ କଟ କଟ କରି ଶବଦ।
ଯୁଆଳିରେ ବନ୍ଧା ଦୁଇ ବଳଦ।।
ଦୁଇଟି ଚକ ତା' ଗୋଟିଏ ଅଖ ।
ଏଗାର ଏଗାର ଅରକୁ ଦେଖ।।
ଶଗଡ଼ ଗାଡ଼ିକୁ ବାଟ ଦେଖାଏ ।
ପେଟରେ ଝୁଲୁଛି ଲଣ୍ଠନଟିଏ।।
କାଳିଆ, କସରା, ବଳଦ ଦୁଇ ।
ଶଗଡ଼କୁ ଦେଖ ନିଅନ୍ତି ବୋହି।।
ଶଗଡ଼ିଆ ଭାଇ ଶଗଡ଼େ ବସି ।
ଅଳପ ଅଳପ ଦେଉଛି ହସି।।
ଉଦାସିଆ ଗୀତ ଦେଉଛି ଗାଇ।
ଗଲାଣି ତ ଗଲା କଥାରେ ଭାଇ।।
କାଳିଆ କସରା ଲାଙ୍ଗୁଳ ଧରି ।
ମୋଡ଼ି ଦେଉ ଅଛି ଇଞ୍ଜିନ ପରି।।
ମାଡ଼ି ଆସୁଛିରେ କଳା ବଉଦ।
ଧାଇଁକି ଧୁକୁଡ଼ୁ ଧାଆଁ ବଳଦ।।
ଇନ୍ଧନ ଫିନ୍ଧନ ନାହିଁ ଇଞ୍ଜିନି।
ବଳଦେ ନିଅନ୍ତି ଶଗଡ଼ ଟାଣି।।
ଖାଲ ଖମା କିଛି ନାହିଁ ଖାତର ।
ଗୁଳା ପଡ଼ିଥାଇ ରାସ୍ତା ଉପର।।
ଧନ୍ୟ ଧନ୍ୟ ତୁହି ଶଗଡ଼ ଗାଡ଼ି।
ବିସ୍ମୃତି ଗରଭେ ରହିଲୁ ପଡ଼ି।।
ଶଗଡ଼ ଶୁଣିଛି ମୁହିଁ କାହାଣୀ ।
ଶଗଡ଼ିଆ ଥିଲା ଏକ ମାଗୁଣି।।
ମଟର ଆସିଲା ଜୀବିକା ଗଲା।
ମାଗୁଣି ବିଚରା ଉପାସେ ମଲା।।
କେତେ ନବବଧୂ ଶଗଡ଼ ଚଢ଼ି ।
ଗଲେ ନୂଆ ନୂଆ ସଂସାର ଗଢ଼ି।।
ରୂପା ଶଗଡ଼ିରେ ସୁନା କନିଆଁ ।
ଶାଶୁ ଘର ଯାଏ ଭାରି ଛାନିଆ ।।
ଧନ୍ୟ ଧନ୍ୟ ଆରେ ତୁହି ଶଗଡ଼।
ଇତିହାସ ତୋର ବିଶାଳ ବଡ଼ ।।
କେଁଏଁ କଟର ତୋ ଶୁଭୁନି ଆଉ।
ଶଗଡ଼ ତୋ କଥା ଏତିକି ଥାଉ ।।
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ - 7693091971
