ଦୁହିତା
ଦୁହିତା
ଅଲିଅଳି କନ୍ୟା ପିତା ମାତାଙ୍କର
ସ୍ନେହ ମମତାରେ ଋଣୀ,
ଆଉ କାହାଘର ଶୋଭିତ ମଣ୍ଡନେ
ବଧୂବେଶ ସାଜେ ପୁଣି |
ଗେଲବସରରେ ବଢିଥାଏ ସିନା
କେତେ ଆଶା ମନେ ବୁଣି,
ନୂଆ ପରିବାର ନୂଆ ସମ୍ପର୍କକୁ
ଏକସୂତ୍ରେ ବାନ୍ଧେ ପୁଣି |
ସଂସ୍କାରେ ଶୋଭିତ ଗୌରବ ମଣ୍ଡିତ
ସ୍ରୋତସ୍ୱିନୀ ନଦୀଟିଏ,
ସଂସାର ନଦୀର ଜୁଆର ଭଟ୍ଟାକୁ
ପ୍ରେମରେ ଶାନ୍ତ କରାଏ |
ଦୁଇକୁଳ ପାଇଁ ସମ୍ପର୍କର ସେତୁ
ମଜବୁତ ପାଇଁ ସିନା,
ଦୀପରେ ସଳିତା ପରି ଜଳୁଥାଏ
ଅନ୍ୟକୁ ଦେଇ ସାନ୍ତ୍ୱନା |
ଦୁହିତା ଜନମ ଦୁଇ କୁଳପାଇଁ
ହିତ ସାଧନ ସେ କରେ,
ସୁଖ,ଦୁଃଖ ଭୁଲି ସମର୍ପଣ ଭାବେ
ତ୍ୟାଗରେ ସବୁ ଆଦରେ |
ନିଜ ପରିବାର ସୁଖ ସୁବିଧାକୁ
ସଦା ରଖିଥାଏ ଧ୍ୟାନ,
କୁଳବଧୂ ରୂପେ ପରିଚୟ ତାର
ଉତ୍ସର୍ଗୀକୃତ ଜୀବନ |
