ହେ ଈଶ୍ଵର
ହେ ଈଶ୍ଵର
ସାରା ଜଗତରେ ସ୍ରଷ୍ଟା ହେ ସର୍ବବ୍ୟାପୀ ଈଶ୍ଵର
ବନ। ଲତା। ନଦୀ। ପାହାଡ଼ ସବୁ ସୃଷ୍ଟି ତୁମ୍ଭର ।
ତୁମେ ଗଢିଛ ଏ ସଂସାର। ଅତି ଆନନ୍ଦ ମନେ
ସ୍ନେହ ଶ୍ରଦ୍ଧା ଭକ୍ତି ବିନୟ ଭରି ସବରି ପ୍ରାଣେ ।
ଦିନ-ରାତି ପରିବର୍ତ୍ତନ ହୁଏ ତୁମ ନିର୍ଦ୍ଦେଶେ
ଋତୁ ପରେ ଋତୁ ଆସଇ ପ୍ରଭୁ ତୁମ ଆଦେଶେ ।
ତୁମରି ଆଦେଶେ ବହଇ। ଝଡ଼-ଝଞ୍ଜା ପବନ
କୋକିଳ ଶୁଣାଏ ସଂଗୀତ ମୋହି ନିଅଇ ମନ।
ସୂରୁଯ ଦେହରେ ଭରିଛ। ତୁମେ ଉଷ୍ମ କିରଣ
ଭାସ୍କର ଉଦୟ ଆନନ୍ଦେ। ଧରା ଦିଶେ ପ୍ରସନ୍ନ ।
ଯାମିନୀ ଆକାଶେ ହସନ୍ତି। କେତେ ତାରକା ରାଜି
ସୁଧାଂଶୁ କିରଣ ଖେଳଇ। ମହୀ ମୁକୁର ମାଜି ।
କଳକଳେ ନଦୀ ବହଇ। ଯାଏ ମିଶି ସାଗରେ
ତୁମରି ଆଶିଷେ ପ୍ରଭୁ ହେ। ମର୍ତ୍ତେ ଅମୃତ ଝରେ।
ଲେଖୁଛି ତୁମକୁ ଏ ଚିଠି ଅତି ଆବେଗ ମନେ
ଘୋର ବିପତ୍ତି ଯେ ଘାରିଛି ଏବେ ମର୍ତ୍ତ୍ୟ ଭୁବନେ।
କ୍ଷମା କର କ୍ଷମାସାଗର ସବୁ ପାପ ନିମନ୍ତେ
ମାନୁଛି କରିଛୁ ଅନ୍ୟାୟ ପ୍ରକୃତିର ସହିତେ ।
ଦଣ୍ଡ ବିଧାନ ତ କରିଲ । ଏବେ କ୍ଷମା ଆଚର
ଆହେ ଜଗତର ଅଧିପ। କୃପା-ବୃଷ୍ଟି ଯେ କର।
ଏ ଘୋର ବିପତ୍ତି କାଳରେ। ପ୍ରଭୁ ତୁମେ ଭରସା
କୃପା କର । ଆହେ ଈଶ୍ଵର। ଦୂର ହେଉ ତମସା ।
ଦୟା କର ଦୟା-ସାଗର ଟଳିଯାଉ ବିପଦ
ହସି ଉଠୁ ପ୍ରାଣ ଲହରୀ ଦୂର ହେଉ ବିଷାଦ ।।