ଶୀତ
ଶୀତ
ଘାସ ଗାଲିଚାର କୁହୁଡି ଚାଦରେ , ଶୀତ ଆସେ ଥିରି ଥିରି
ପ୍ରତିଟି ଓଡ଼ିଆ ମନ ମନ୍ଦିରରେ , ଅପୂର୍ବ ପୁଲକ ଭରି ,
ମଗୁଶୀର ମାସ ଝୋଟି ଚିତା ନିଏ , ସବୁରି ମନକୁ କିଣି
ଅଜା ଆଈ ପାଶେ କୁନା କୁନି ବସି ଶୁଣନ୍ତି ପରୀ କାହାଣୀ ।
ଲକ୍ଷ୍ମୀ ଠାକୁରାଣୀ ପୟର ପଖାଳି , ଶୀତ ଆସେ ଥିରି ଥିରି
ଧାନର କ୍ଷେତରେ ସୁବର୍ଣ୍ଣ ଫସଲ ଉଲ୍ଲସିତେ ଗାଏ ଲୋରୀ ,
ସୁଖ ଦୁଃଖ ସାଥେ ଭ୍ରମୁଥାଏ ଶୀତ, ଋତୁଚକ୍ରର ସହିତେ
ବାଳଭାନୁ କରେ ହସୁଥାଏ ନିତି ଶୁଭ ସ୍ବାଗତ ସଙ୍ଗୀତେ ।
ମନେ ଅଛି ମୋର , ଅତୀତର କଥା ଗାଁର ଶୀତ ସକାଳ
ସାଙ୍ଗ ସାଥି ମିଶି ପୋଖରୀ
ତୁଠରେ ଖେଳୁଥିଲୁ କେତେ ଖେଳ ,
ଶୀତର ରାତିରେ , ଚାନ୍ଦିନୀ ପାଖରେ ଶୁଖିଲା କାଠକୁ ଜାଳି
ଗାଁ ପୁରୋହିତେ , ଗାଉଥିଲେ ଗୀତ ଧାଡି ପରେ ଧାଡି ଯୋଡି ।
ବୋଉକୁ ଜାବୁଡି , ଜାକିଜୁକି ହୋଇ ଶୋଇ ପଡୁଥିଲି ମୁହିଁ
ଲାଗୁଥିଲା ଡର ବୁଢୀ ରାକ୍ଷସୀଟା ଅନ୍ଧାରେ ଆସିବ ଧାଇଁ ,
କେତେ ଯେ ସୁନ୍ଦର ଥିଲା ପିଲାଦିନ , ସରଳ କୋମଳ ମନ
ଲୁଚିଗଲା କାହିଁ, ଅତି ବେଗେ ଯାଇ, ଛାଡିଦେଇ ନିଜ ଚିହ୍ନ ।
ସହର କୋଳରେ ଆସେ ନାହିଁ ଶୀତ, ଆସେ ନା' ସୁନେଲି ଖରା ,
ଦିନ ସବୁ ଏଠି ଗଡି ଚାଲିଥାନ୍ତି , ଦିଅନ୍ତିନି କିଏ ଧରା
ଦିଅନ୍ତିନି କିଏ ଧରା ।