ସୁଆଦିଆ ଜାମୁକୋଳି
ସୁଆଦିଆ ଜାମୁକୋଳି
ଆମ ଘର ବୁଲି କାଲି ଆସିଥିଲେ ମାମୁଁ
ଫଳଟିଏ ଆଣିଥିଲେ ନାମ ତାର ଜାମୁ l
ସାବିତ୍ରୀ ଓଷା ଆସୁଛି ବୋଉ ଓଷାପାଇଁ
ଫଳଭାର ଦେଇଥିଲେ ଆମ ସୁନାଆଈ l
ଅପୂର୍ବ କୋଳିରୁ ଗୋଟେ ଚାଖିଦେଇ ମୁଁ
ପଚାରିଲି କିଫଳ ଏ କୁହ ମୋର ମାମୁଁ l
ଜାମୁ ଏହି ମାମୁଁ ମତେ କହିଲେ ବୁଝାଇ
ବିଷମ ଗ୍ରୀଷମ କାଳେ ଏ ଫଳ ଫଳଇ l
ଖଟାମିଠା କଷା ମିଶା ଏହା ସ୍ଵାଦ ଅଟେ
ବସନ୍ତସମୟେ ଜାମୁଗଛେ ଫୁଲ ଫୁଟେ l
ବାଇଗଣୀ ଫଳମାନ ଗ୍ରୀଷ୍ମକାଳେ ଝୁଲେ
ମାଙ୍କଡ ଖାଆନ୍ତି ଡେଇଁ ବୁଲି ଗଛଡାଳେ l
ବଗୁଲିଆ ପିଲାମାନେ ଚଢ଼ି ଜାମୁ ଡାଳେ
ମୁସୁମୁସା ଡାଳ ଭାଙ୍ଗି, ପଡ଼ିଥାନ୍ତି ତଳେ l
ବିଷୁବ ମଣ୍ଡଳେ ଅଟେ, ଜାମୁଦ୍ରୁମ, ବାସ
ଚିର ହରିତ ଏ ଜାମୁ ରଖେ, ପରିବେଶ l
ଜମ୍ବୁଦ୍ଵୀପ ବାସ ଯେଣୁ ନାମବହେ ଜାମୁ
ସଂସ୍କୃତରେ ନାମ ଜମ୍ଭୁ କହୁଥିଲେ ମାମୁଁ l
ହିନ୍ଦୀରେ ଏହାଟି ପୁଣି ଜାମୁନ ବୋଲାଏ
ଅଳପ ଦିନରେ ଜାମୁ ଦ୍ରୁମ ହୋଇ ଥାଏ l
ଏତେ କହି ମାମୁଁ ମତେ କହନ୍ତିରେ ବାବୁ
ଆଜି ଠାରୁ ଦୀକ୍ଷା କର, ବୃକ୍ଷ ଲଗାଇବୁ l
ଜାମୁ ଖାଇ, ମାମୁଁଙ୍କୁ ମୁଁ କହିଲିରେ ଭାଇ
ଧନ୍ୟ ତୁମେ ମାମୁଁମାଇଁ ଆମ ଅଜାଆଈ l
