ହେ ଦେବୀ !
ହେ ଦେବୀ !
ହେ ଦେବୀ , ମହାଦେବୀ , ଆସ ଥରେ ଅବତରି
ଶ୍ରୀଚରଣ ଯୁଗଳରେ ଭକତ କରେ ଗୁହାରି
ଦେଖ ମାତେ ! ଆଜି କାନ୍ଦୁଛି ଧରଣୀ
ବଢିଛି ପାପର ଭାର
ଧର୍ମ ଲୁଚିଅଛି ଅନ୍ଧାର ଗହ୍ବରେ
ଭାଙ୍ଗିଛି ତା' ମେରୁହାଡ
ମାୟା ମୋହେ ପଡି ବାଟବଣା ମନ
ପାଉନାହିଁ ତା' ଠିକଣା
ରକ୍ଷକ ସାଜିଛି ଭକ୍ଷକ ହେ ମାତ !
ଧର୍ମ ଆଜି ବାଟବଣା
ଲକ୍ଷ ଲକ୍ଷ ଏଠି ମହିଷା ଅସୁର
ଶୁମ୍ଭ ନିଶୁମ୍ଭ ଯେ କେତେ
ରକ୍ତବୀଜ ସାଜି ବୁଲୁଛି ମାନବ
ରକ୍ତମୁଖା ଦେଖ ସର୍ବେ
ହିଂସା , ରାଗ , ଦ୍ବେଷ କରନ୍ତି ରାଜୁତି
ସ୍ବାର୍ଥ ତାଙ୍କ ସେନାପତି
ନୀରିହ ଦୁର୍ବଳ ନିତି ହୋନ୍ତି ହତ
କ୍ଷତାକ୍ତ ଧର୍ମର ଛାତି
କାମନା ଜାଲରେ ବିବେକ ଅଚେତ
ପଥ ହୁଡିଅଛି ପ୍ରେମ
କ୍ରୋଧ ଜର୍ଜରିତ ଜଳନ୍ତା ଅଗ୍ନିରେ
ଧ୍ବଂସ ହେଉଅଛି ଧର୍ମ
ପାଦେ ପାଦେ ଆଜି ଆତଙ୍କର ଛାୟା
ଅନ୍ୟାୟ ଅନୀତି ଘୋର
ପୁଣ୍ୟ ମୁଖା ପିନ୍ଧ
ି ପାପ ହସୁଅଛି
ଜଳୁଛି ସାରା ସଂସାର
ହିରଣ୍ୟଗର୍ଭା ଗୋ ! ତୋ' ଗରଭୁ ଜାତ
ଦେବତା , ନର , ଅସୁର
ସୃଷ୍ଟି , ସ୍ଥିତି , ଶକ୍ତି ସବୁ ତୋ' ଉତ୍ପତ୍ତି
ସଭିଁଏ ସନ୍ତାନ ତୋର
ଦୁର୍ଗତିନାଶିନୀ , ଖର୍ପରଧାରିଣୀ ,
ମହିଷାମର୍ଦ୍ଦିନୀ ମାତେ !
ଦିଅ ଗୋ ଅଭୟ , ଅଭୟଦାୟିନୀ
କରୁଛୁ ଗୁହାରି ତୋତେ ,
ମାଆ ଦଶଭୁଜା ହୋଇ ଆବିର୍ଭୂତା
ଜଗତ କର ଉଦ୍ଧାର
ପାପୀଙ୍କୁ ସଂହାରି , ତପୀଙ୍କୁ ଉଦ୍ଧାରି
ରକ୍ଷାକର ଏ ସଂସାର ,
କାଶତଣ୍ଡୀ ହସେ ତଟିନୀ କୂଳରେ
ଧବଳ ନିର୍ମଳ ରଙ୍ଗେ
ଶରଦ ବୋଳିଛି ଶୁଭ୍ର ଦିବ୍ୟ କାନ୍ତି
ଧରଣୀର ଅଙ୍ଗେ ଅଙ୍ଗେ,
ସଜବାଜ ହୋଇ ପଥ ଅଛି ଚାହିଁ
ତୋହରି ପ୍ରିୟ ଅବନୀ
ମାଆ ମୋ ଆସିବ ପାପ ବିନାଶିବ
ଚିନ୍ତଇ ଧରଣୀ ରାଣୀ ,
ହେ ଦେବୀ ଭବାନୀ ! କରୁଛୁ ଦଇନି
ଶୁଣିମା ହେଉ ଗୁହାରି
ତୋର ଏ ସଂସାର ତୁହି ରକ୍ଷାକର
ଧରାଧାମେ ଅବତରି ।।