STORYMIRROR

TAPASWINI BEHERA

Abstract

3  

TAPASWINI BEHERA

Abstract

ଭିନ୍ନ ଏକ ଜୀବନ-ଜୋକର

ଭିନ୍ନ ଏକ ଜୀବନ-ଜୋକର

1 min
243


ସେ ହସୁଥିଲା ଖୁବ୍ ଜୋରରେ ,

ତା ମୁଣ୍ଡଠୁ ପାଦଯାଏ

ମେଞ୍ଚା ମେଞ୍ଚା ରଙ୍ଗ ଲଗେଇ,

ସେ ହସଉଥିଲା ଖୁବ୍ ଜୋରରେ

ନାଲି,କଳା, ହଳଦିଆ ଆଉ

ସବୁଜ ରଙ୍ଗର ମେଳିରେ

ଚିହ୍ନି ହେଉ ନ ଥିଲା ଲୁହର ପ୍ରକୃତ ରଙ୍ଗ,

ତା ଆଖିରେ ଦାନା ବାନ୍ଧୁଥିବା ଲୁହବିନ୍ଦୁକୁ

ସେ ଯେବେ ଲୁଚଉଥିଲା ଖୁବ୍ ଜୋରରେ

ତା ଚାରିପାଖକୁ ପିଲାଠୁ ବୁଢା ଯାଏ

ସମସ୍ତେ ଘେରିଥିଲେ କୃତ୍ରିମ ଭିଡଟିଏ କରି,

ଯେମିତି ସେ ଗୋଟେ

ମନ ମୋହିତ ରାଜପ୍ରାସାଦ,

ଆଉ ଗଢି ଦେଇଛି

ଦୁର୍ଗଟେ ତା ଚାରିକଡ଼ରେ,

କାରଣ ଆଜିକାଲି କାହାପାଖରେ

ମିଳୁ ନ ଥିବା ହସକୁ,

ସେ ବାନ୍ଧି ରଖିଛି

ତା ହାତ ମୁଠାରେ ଖୁବ୍ ଜୋରରେ

ବାଣ୍ଟି ପାରୁଛି ତା କଥାରେ,ବେଶରେ

ଆଉ ତା ଚାଲି ଚଳନର ହରକତରେ,

ହେଲେ କେଇ ମୁହୂର୍ତ୍ତ ଯେ?

ତା ରଙ୍ଗ ବେରଙ୍ଗୀ କାନଭାସରେ

ବାନ୍ଧି ରଖିବ ହସକୁ!

ଏ ବିଶାଳ ଭିଡକୁ!

ଫିଙ୍ଗି ପାରିବ ତା ଅନ୍ତରର ଏକାନ୍ତତାକୁ!

ତାର ବି ସମୟ ସରିଯିବ,

ଆଜି ଏଠି, କାଲି ଆଉ କୋଉଠି।

ଯାଯାବରର ବାଲିଘର,

ରଙ୍ଗମଞ୍ଚର କଳାକାର ପରି,

ଯାତ୍ରା ପରର ଇତି ପରେ

ଆଲୁଅ ଲିଭିଯିବ

ତା ଚାରିକଡ଼ର ପୃଥିବୀ ହେବ

ଶୂନଶାନ୍,ନିର୍ଜୀବ ଆଉ ଅନ୍ଧକାର

କେଉଁ ଥୁଣ୍ଟା ବୃକ୍ଷର ନୀରସ ଡାଳପରି

ସେ ପୁଣି ଚାହିଁ ବସିବ

ଗୋଟେ ନୂତନ ବସନ୍ତକୁ

ଭିନ୍ନ ଏକ ବେଶରେ,

ଆଉ କାହା ଓଠରେ

ଝରେଇବାକୁ ହସ ଧାରେ,

ବୁଝେଇ ଦବାକୁ ,

ଯେତେସବୁ ନାଟକ ଭୋକର,

ଆଜି ସେ କାଲି ଆଉ କେହି,

ତା ନାଟକର ଅଂଶୀଦାର।

ଦୁନିଆ ମଞ୍ଚରେ

ତା ପରି ଶହ ଶହ ଜୋକର,

ତୁମେ,ଆମେ,ସମସ୍ତେ

ଖାଲି ଯାହା ରଙ୍ଗର ଫରକ,

ନିର୍ଦ୍ଦେଶକର ନିର୍ଦ୍ଦେଶନାରେ

ବଦଳୁଥାଏ ଚରିତ୍ର ପ୍ରତିଥର କଳାକାରର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract