ସମୟ
ସମୟ
ସେ କେବେ ଗୋଟେ
ଇତିହାସର ସମୟରେଖାରେ
ଖ୍ରୀଷ୍ଟପୂର୍ବ ଠାରୁ ଖ୍ରୀଷ୍ଟାବ୍ଦ ଯାଏ
ଲମ୍ବିଥିବା ମାପ ଫିତା ଟିଏ,
ତ କେବେ ସ୍ମୃତି ଆଳରେ ଧୀରେ
ବଦଳି ଯାଇଥିବା ପୃଷ୍ଠାଧାରରେ
କାହା ପାଇଁ ବିଭତ୍ସ
ଆଉ କାହା ପାଇଁ ରଙ୍ଗୀନ ଅତୀତଟିଏ...
ସେ କେବେ କୁସୁମିତ ବର୍ତ୍ତମାନ
କ୍ଷଣଭରେ ହସ,କାନ୍ଦର ଜୁଆ ଖେଳ,
ତ ପୁଣି କେବେ ମାଟିଠୁ ଅକାଶ ଯାଏଁ
ଭରପୁର ବଞ୍ଚିବାର ବେଳ...
କେବେ କେବେ ସେ ଗୋଟେ
ଭବିଷ୍ୟତର ନବ ପଲ୍ଲବିତ ସ୍ୱପ୍ନ,
ଗଢିବାର ପ୍ରତିଜ୍ଞାରେ
ପ୍ରତ୍ୟେକ ଥର ଧାଉଁଥାଏ
ଅନିଶ୍ଚିତ ଅବିଧି ନେଇ ,
ଆଉ କେବେ
ମିଛ ପ୍ରତିଶ୍ରୁତିର ଜ୍ୱାଳାରେ
ଛାରଖାର କରେ
ବର୍ତ୍ତମାନକୁ ମୁହୂର୍ତ୍ତେ ପାଇ..
କେବେ ସମ୍ମୋହନର ଆନନ୍ଦାଶ୍ରୁ,
ଝରିଯାଏ ବାଡ଼,ବନ୍ଧ ଭାଙ୍ଗି
କାହିଁ କେଉଁ ଦୁର୍ଗମ ବାଟେ,
ତ କେବେ ଅତୀତର
ଚୁମ୍ବକୀୟ ଆକର୍ଷଣଟିଏ ,
ଫେରିବାର ଦୁର୍ବାର ଇଚ୍ଛା
କଅଁଳି ବି ମଉଳି ଯାଏ
ଅଫେରା ବାଟେ...