ପ୍ରେମିକା
ପ୍ରେମିକା
ସମ୍ପର୍କର ଚିରହରିତ ଅରଣ୍ୟରେ
ସେ ଗୋଟେ ଥୁଣ୍ଟା ଗଛ,
ପ୍ଲାବିତ ଯୌବନର
କୃଷ୍ଣଚୂଡ଼ା ଚାହାଣୀରେ
ସେ ଗୋଟେ ଦରଭଙ୍ଗା ହସ;
ପାହାନ୍ତି ସକାଳର
ଗୋଲାପି ଓଠରେ
ସେ ଖାଲି ମୃଦୁ ଚଗଲାମି,
ସନ୍ଧ୍ୟାକାଶ ଦରଫୁଟା ଜହ୍ନରେ
ସେ ପଲ୍ଲବିତ ଜାମିନୀ।
ହଁ,
ସେ ମଲାଜହ୍ନର ଗଳ୍ପ
ଆଉ ମୁଠେ ଚୋରାବାଲିର
ପଟାଳିଏ ଆସ୍ତରଣ;
ସେ ଗୋଟେ ଛଳନା
ଆଶ୍ରିତ ମରୀଚିକା,
ପୁଣି ଗୋଟେ
ମଧୁପ ଆଖିର ଆକର୍ଷଣ।
ଦି ବୁନ୍ଦା ଶ୍ରାବଣର
ନିସ୍ତାର ପରେ
ଆକାଶର ଛାତିରେ
ign-center">ବୋଳି ହେଉଥିବା
ସେ ଗୋଟେ ଭ୍ରମିତ ଇନ୍ଦ୍ରଧନୁ,
ସେ ପୁଣି ରାତ୍ରିର
ଚୂର୍ଣ୍ଣ କୁନ୍ତଳରେ ତରଙ୍ଗାୟିତ
ଶେଫାଳିର ଶୁଭ୍ର ତନୁ।
ଶୂନ୍ୟାକାଶରେ ଅଙ୍କୁରିତ
ମହ୍ଲାର ଆବେଶରେ
ସେ ଗୋଟେ
ମୟୂରର ଉନ୍ମାଦନା;
ସେ ପୁଣି ଗୋଟେ
କାମନାର ଭାବାବେଗ,
ଆସକ୍ତିର ମହାଯଜ୍ଞରେ
ଆହୁତ ପାପର ଗଞ୍ଜଣା।
ସେ ଗୋଟେ ଜହର,
ସେ ପୁଣି ଅମୃତର ସଂଜୀବନି
ମିଳିଗଲେ ଅର୍ଦ୍ଧାଙ୍ଗିନୀ,
ନ ମିଳିଲେ
ଜୀବନ ମୃତ୍ୟୁର
ପ୍ରସାରିତ ବାହୁତଳେ,
ଯନ୍ତ୍ରଣା ଜର୍ଜରିତ ଆତ୍ମାପାଇଁ
ସେ ଖାଲି ଉଦ୍ ଗ୍ରୀବ ଶୂନ୍ୟସ୍ଥାନଟିଏ....