STORYMIRROR

TAPASWINI BEHERA

Abstract

3  

TAPASWINI BEHERA

Abstract

ସ୍ୱାଧୀନ ଭାରତ କି ଜୟ

ସ୍ୱାଧୀନ ଭାରତ କି ଜୟ

1 min
149


ମୁଁ ଜାଣେନି 

ସ୍ବାଧିନତା ମାନେ କଣ!! 

କିନ୍ତୁ ଏ କଣ ତୁମ ଅର୍ଥରେ ସ୍ୱାଧୀନତା?

ଯେତେବେଳେ

ତୁମେ ଲକ୍ଷ୍ମଣରେଖାର 

ତିନି ଗାର ଟାଣି ଦେଇ କୁହ,

ମନ ଭରି ବୁଲ!!


ତୁମେ ପଞ୍ଜୁରୀର 

ଶକ୍ତ ଲୁହା ବାଡ଼ଭିତରେ

ମୋତେ ବନ୍ଦୀକରି କୁହ,

ମୁକ୍ତ ହେଇ ଉଡ଼!!


ତୁମେ ମୋ ହାତ ଦୁଇଟି 

ଶିକୁଳିରେ ବାନ୍ଧି ଦେଇ କୁହ,

ପେଟ ପୁରା ଖା'!!


ମୋ ଦେହରୁ ସବୁତକ ରକ୍ତ

ନିଗାଡ଼ିଲା ପରେ ତୁମେ କୁହ,

ଜୀବନକୁ ବଞ୍ଚ!!


ପ୍ରତିଥର ମୁଁ ରାକ୍ଷସଙ୍କ ଶିକାର ପରେ

ତୁମେ ଲମ୍ବା ଭାଷଣ ଦେଇ କୁହ

ନ୍ୟାୟ ନିଶ୍ଚୟ ମିଳିବ!!


ହା' ଅନ୍ନରେ ଜଳୁଥିବା 

ପେଟ ଚାଖଣ୍ଡେ ପାଇଁ

ମୁଁ ଦାଦନ ହେଲେ

ତୁମେ ଇଟା,ଗୋଡିର ହିସାବକରି 

ମୁଠାଏ ଟଙ୍କା ଫିଙ୍ଗି କୁହ,

ସୁଖରେ ରହୁ ତୋ ପରିବାର!!


ପାଣି ଠାରୁ ଖଣି ଯାଏଁ

ସବୁଠି ମୋ ଶ୍ରମର ଛାପ

ଆଉ ତୁମ ଦୁର୍ନୀତିର ଦାଗ

ତା' ପରେ ବି ତୁମେ କୁହ,

ମୁଁ ତ ନିମିତ୍ତ ମାତ୍ର

ଯା' ସବୁ ତୋର!!


ଚାକିରୀର ତଣ୍ଟି କାଟି

ବେକାରିର ମଞ୍ଜି ବୁଣି

ତୁମେ ବାଣ୍ଟି ଚାଲ

ରାସନ କାର୍ଡ ଖଣ୍ଡେ,

କେଇ ଗଣ୍ଡା ବେକାର 

ଯୋଜନା କରି ତୁମେ କୁହ,

ମାଗଣାରେ ଦେଲି ନେଇ ଯା'!!


ମୁଁ ସବୁକୁ ଆଦରି ନିଏ

ସେ ଭୋଟ ଦିନର ଯୋଡ଼ା ହସ୍ତ ହେଉ

କି ଭୋଟ ପରର ଗୋଇଠା,

କାରଣ ତୁମ ନଜରରେ 

ମୁଁ ବଦଳି ଯାଇଥାଏ

ଗୋଟେ ସର୍ବହରା ଆଉ ତୁମେ ପୁଞ୍ଜିପତି!!

ପୁଣି ବର୍ଷ ପରେ ବର୍ଷ

ଏଇ ପନ୍ଦର ଅଗଷ୍ଟକୁ

ମୋତେ ମିଳୁଥାଏ

କେବଳ ମୁଠେ ସେଓ ବୁନ୍ଦି

ଆଉ କାନ ଶୁଣେ

ସ୍ୱାଧୀନ ଭାରତ କି ଜୟ!!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract