STORYMIRROR

TAPASWINI BEHERA

Abstract Inspirational

3  

TAPASWINI BEHERA

Abstract Inspirational

ଏଇ ସେ ଈଶ୍ୱର

ଏଇ ସେ ଈଶ୍ୱର

1 min
323

ତୁମେ କହି ପାରିବ

କେବେ ତୁମେ 

ଈଶ୍ୱରଙ୍କୁ ଦେଖିଛ,

ଭେଟିଛ ତାଙ୍କ ସହ,

ଢେର ବେଳ ଯାଏ କଥା ହେଇଛ,

ମାଗିଛ କେଉଁ ବର

ମୃତ୍ୟୁଞ୍ଜୟୀ ହେବାର କି

ଧନ,ଜନ,ଗୋପ ଲକ୍ଷ୍ମୀରେ 

ଭରିଦେବାକୁ ତୁମ ଉତ୍ତରପୁରୁଷ ଯାଏ,

ଯେମିତି ମାଗିଥିଲା ଶ୍ରୀୟା,

ଯେମିତି ମାଗିଥିଲା ରାବଣ,

ତିନି ପୁରର ଦିଗବିଜୟ ହେବାକୁ।


ତୁମେ କେବେ ବାନ୍ଧି ପାରିଛ କି

ସୁଦାମା ପରି ବନ୍ଧୁତ୍ୱର ଦ୍ୱାହି ଦେଇ,

ନା ଗୋଟେପଣ ହଜି ପାରିଛ

କୃଷ୍ଣା ହେଇ ସମର୍ପଣରେ।

ନା ତୁମେ କେବେ ସାରଥୀ କରି

ସଜେଇ ପାରିଛ ହୃଦୟର କୁରୁକ୍ଷେତ୍ରରେ

ଜିତିବାର ଦୁର୍ବାର ଆଶା ସବୁକୁ ଜଳେଇ,

 କେବେ ଦେଖି ପାରିଛ କି

 ତାଙ୍କ ଭିତରେ ନିଜକୁ,

 ଯେମିତି ରାଧା ଦେଖେ

 ଯେମିତି ମୀରା ଦେଖେ,

 ସବୁଥିରେ ସେ ହିଁ ସେ ମୟ।


ନା ତୁମେ ପାରିନ,

ତୁମେ ଧରି ପାରିନ କି ବାନ୍ଧି ପାରିନ,

ନିଜକୁ ହଜେଇବା ଆଗରୁ

ନିଜ ଅସ୍ତିତ୍ୱର ପରିଚୟ ଚିହ୍ନଟିଏ,

ସବୁ ମନ୍ଦିରର କାଂଥ,ବାଡ଼,ପାଣି,ପବନ

ବାୟୁମଣ୍ଡଳରେ ଥୋଇ ଦେଇ,

ତାଙ୍କୁ ଭିଡ଼ିବାର ଛଳନା କରୁଛ,

ତୁମେ ତୁମେ କହି ଖାଲି

ଅଧିକାର ମାଗିଛ,

ସିଂହାସନ ଭିଡିଛ,

ଧର୍ମ ନାମରେ ବିଚ୍ଛେଦ,

ଜ୍ଞାନ ନାମରେ ବିଚ୍ଛେଦ,

ମିଛ ଅହମିକା ଆଉ ବୃଥା ଭଣ୍ଡାମିର

ବେତ ବାଡେଇ ଅର୍ଥ ଟଣାଟଣି କରିଛ।

         

କେବେ ଡାକି ଦେଖ କୃଷ୍ଣା ସାଜି

ଯେମିତି ସେ ଡାକିଥିଲା କୁରୁସଭା ତଳେ,

ଯେମିତି ଡାକିଥିଲା ଗଜରାଜ,

ଯେମିତି ଡାକିଥିଲା ଅଜାମ୍ବିଳ,

ଚାରିଆଡେ ଏଠି ପରା କୌରବଙ୍କ ରୁଣ୍ଡ

ଆଖି ଖୋଲି ଦେଖ ଖାଲି ବସ୍ତ୍ର ନୁହେଁ,

ବିବଶନାରେ ଏଠି ଭୋକ ବି ଲଙ୍ଗଳା,

ହା'ଅନ୍ନର ଦାଉରେ କରଡି ଜଳିବା,

ଆଉ ମୁଠେ ଶୁଖିଲା ଭାତରେ

ଉପଶମ ପେଟର ଯନ୍ତ୍ରଣା

 

କେବେ ଥରେ,

ମରା ରୁ ରାମ ଗାଇ ଦେଖ

ଦଶ୍ୟୁ ବି ବାଲ୍ମୀକି ସାଜିପାରେ,

ପଥର ବି ନାରୀ ପାଲଟେ

ସବୁ ମାୟାର ଶକ୍ତ ରଜ୍ଜୁ ଛିଣ୍ଡେଇ

ପିନ୍ଧିଦେଖ ମୋକ୍ଷର ରୁଦ୍ରାକ୍ଷ,

ସାନ୍ନିଧ୍ୟଟେ ପାଇଁ ହେଉ

ଶେଷ ସନ୍ଧି ଟିଏ,

କେଉଁଠି ତ ପାଇବ ନିଶ୍ଚୟ

ଶୁଭ୍ର ଠାରୁ ଶୁଭ୍ର ଜ୍ୟୋତିପୁଞ୍ଜଟିଏ

ସମ୍ମୋହନ କରିନେବ,

ଶାନ୍ତିର ମହାର୍ଘ୍ୟ ଗାଇବ ପୂରବୀ,

ଆଉ ତୁମେ ଭେଟି ସାରିଥିବ 

ତୁମ ଶବ୍ଦରେ କହୁଥିବା

ଏଇ ସେ ଈଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract